ପଳାତକ ଅମ୍ରିତପାଲଙ୍କୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଥିଲା ଅମ୍ରିତପାଲଙ୍କ ସମ୍ପର୍କ

264

କନକ ବ୍ୟୁରୋ: ଅମ୍ରିତପାଲ ସିଂହଙ୍କୁ ନେଇ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଅମ୍ରିତପାଲ ସିଂହର ସମ୍ପର୍କ ରହିଥିବା ଭାରତୀୟ ଗୁଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି । କୁହାଯାଇଛି ପଂଜାବରେ ହିଂସାକାଣ୍ଡ ଘଟାଇବା ପାଇଁ ଅମ୍ରିତପାଲକୁ ଦାୟିତ୍ୱ ଦିଆଯାଇଥିଲା । ଦୁବାଇରେ ଟ୍ରକ ଡ୍ରାଇଭର ଥିବା ଅମ୍ରିତପାଲ ଯେବେଠୁ ପଂଜାବ ଫେରିଛି ସେବେଠୁ ଅଶାନ୍ତ ହୋଇପଡିଛି ରାଜ୍ୟ । ଅଜନାଲ ଥାନା ଘଟଣା ପରେ ପୋଲିସ ଓ ତଦନ୍ତକାରୀ ଏଜେନ୍ସିର ରାଡାରରେ ରହିଛି ଅମ୍ରିତପାଲ ।

ଆଇଏସଆଇ ସହ ଅମ୍ରିତପାଲର ସମ୍ପର୍କ!
– ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଅମ୍ରିତପାଲର ସମ୍ପର୍କ ସୂଚନା
– ଭାରତକୁ ଆସିବା ପୂର୍ବରୁ ଜର୍ଜିଆରେ ଆଇଏସଆଇଠୁ ତାଲିମ ନେଇଥିଲା ଅମ୍ରିତପାଲ
– ଦୁବାଇରେ ରହିବା ସମୟରେ ଆଇଏସଆଇ ସମ୍ପର୍କରେ ଆସିଥିଲା
– ପଂଜାବରେ ଖଲିସ୍ତାନୀ ଆନ୍ଦୋଳନର ଉଦ୍ଦେଶ୍ୟ ରଖିଥିଲା
– ପାକିସ୍ତାନର ନିର୍ଦ୍ଦେଶରେ ପଂଜାବରେ ଅସ୍ଥିରତା ସୃଷ୍ଟି କରିବାକୁ ଯୋଜନା କରିଥିଲା
– ଆଇଏସଆଇ ଅମ୍ରିତପାଲଙ୍କୁ ମୋଟା ଅଙ୍କର ଅର୍ଥ ଦେଇଥିଲା
– ଜଳନ୍ଧରର ଆନନ୍ଦପୁରରେ ଅମ୍ରିତପାଲ ଏକ ସିକ୍ରେଟ ଫୋର୍ସ ଗଠନ କରୁଥିଲା
– ନିଶାମୁକ୍ତି କେନ୍ଦ୍ର ଓ ଗୁରୁଦ୍ୱାରାରେ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖୁଥିଲା
– ଆତ୍ମଘାତୀ ଆକ୍ରମଣ ପାଇଁ କିଛି ଯୁବକଙ୍କୁ ତାଲିମ ଦେଉଥିଲା

ପଂଜାବ ପୋଲିସର ନିଦ ହଜାଇ ଦେଇଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ଅମ୍ରିତପାଲଙ୍କୁ ଖୋଜିବାରେ ସବୁ ବଳ ପ୍ରୟୋଗ କରିଥିଲେ ବି ଏଯାଏଁ କୌଣସି ଟେର୍ ପାଉନି ପୋଲିସ । ପଂଜାବରେ ଚାଲିଛି ପୋଲିସ-ଅପରାଧୀ ଛକାପଂଝା । ୱାରିସ ପଂଜାବ ଦେ ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂହକୁ ନେଇ ଚିନ୍ତାରେ ଏବେ ପଂଜାବ ପୋଲିସ । ଶତାଧିକ ସଂଖ୍ୟକ ପୁଲିସର ଚେଷ୍ଟା ସତ୍ୱେ ସମସ୍ତଙ୍କୁ ଚକମା ଦେଇ ଫେରାର ଅଛି ଏହି ହାଇପ୍ରୋଫାଇ ଅପରାଧୀ । ଅମ୍ରିତପାଲର ଶତାଧିକ ସମର୍ଥକଙ୍କୁ ଗିରଫ କରାଯିବା ସହ ତା ଠିକଣାରୁ ବିପୁଳ ମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପରିବାର ଲୋକ ଅମ୍ରିତପାଲ ବିଷୟରେ କିଛି ଜାଣିନଥିବା କହୁଛନ୍ତି ସେପଟେ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପୂରା ପଂଜାବରରେ ଇଂଟରନେଟ ସେବା ବନ୍ଦ ରଖାଯିବା ସହ କିଛି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଅମ୍ରିତପାଲର ଦାଦା ଓ ଡ୍ରାଇଭର ଆତ୍ମସମପର୍ଣ କରିସାରିଛନ୍ତି । ପ୍ରଶ୍ନ ଉଠୁଛି ଟ୍ରକ ଡ୍ରାଇଭରୁ ଖଲିସ୍ତାନୀ ନେତା ସାଜିିଥିବା ଅମ୍ରିତ ପାଲକୁ ଧରିବା ପାଇଁ ପ୍ରକୃତରେ ପଂଜାବ ପୁଲିସ ସକ୍ଷମ ନୁହେଁ ନା ଏହା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି? ଏବେ ନଜର ପକାନ୍ତୁ କିଏ ଏହି ଅମ୍ରିତପାଲ ସିଂହ ।

ଅମ୍ରିତପାଲ ସିଂହ କିଏ?
– ଅମ୍ରିତସରର ଜଲ୍ଲୁପୁର ଖେରାରେ ୧୯୯୩ରେ ଜନ୍ମଗ୍ରହଣ କରିଥିଲେ ଅମ୍ରିତପାଲ ସିଂହ
– ଅମ୍ରିତସରରେ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢିଥିଲେ
– ୨୦୧୨ରେ ଭାରତ ଛାଡି ଦୁବାଇ ଚାଲିଯାଇଥିଲେ
– ଦୁବାଇରେ ନିଜ ସମ୍ପର୍କୀୟଙ୍କ ଟ୍ରାନ୍ସପୋର୍ଟ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲା
– ଗତ ସେପ୍ଟେମ୍ବର ମାସରେ ଭାରତ ଚାଲିଆସିଥିଲେ
– ଗତ ୬ମାସ ତଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ
– ୬ମାସ ତଳେ ‘ୱାରିସ ପଂଜାବ ଦେ’ ସଂସ୍ଥାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ
– ନିଜ ଆକ୍ରମଣାତ୍ମକ ବୟାନ ପାଇଁ ଚର୍ଚ୍ଚାରେ
– ଖାଲିସ୍ତାନୀ ବୋଲି ପରିଚୟ ଦେଇଥାଏ
– ସ୍ୱତନ୍ତ୍ର ଶିଖ୍ ଦେଶର ଦାବି କରି ଆସୁଛି
– ଜେନେରାଲ ସିଂହ ଭିଣ୍ଡରାୱାଲେଙ୍କୁ ନିଜର ଆଦର୍ଶ ବୋଲି ମାନେ
– ଅଭିନେତା ଦୀପ ସିଦ୍ଧୁ ଦ୍ୱାରା ଗଠନ ହୋଇଥିଲା ସଂସ୍ଥା ‘ୱାରିସ ପଂଜାବ ଦେ’
– ଦୀପ ସିଦ୍ଧୁ ଦ୍ୱାରା ବିଶେଷ ଭାବେ ଅନୁପ୍ରାଣିତ ହୋଇଥିବା କୁହନ୍ତି ଅମ୍ରିତପାଲ ସିଂହ

ଲଣ୍ଡନର ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ଲାଗିଲା ଜାତୀୟ ପତାକା । ଖାଲିସ୍ତାନୀ ସମର୍ଥକ ଲଣ୍ଡନର ଭାରତୀୟ ଦୂତାବାସ କାର୍ଯ୍ୟାଳୟରୁ ଜାତୀୟ ପତାକାକୁ କାଢି ଦେଇଥିଲେ । ଏବେ ଏହି ସ୍ଥାନରେ ଆହୁରୀ ବଡ଼ ଜାତୀୟ ପତାକା ଲଗାଯାଇଛି । ଏଠାରେ ପୂର୍ବରୁ ଯେତିକି ବଡ଼ ଆକାରର ପତାକା ଲାଗିଥିଲା ଏବେ ଆନ୍ଦୋନଳକାରୀଙ୍କୁ ଜବାବ ଦେଇ ତାଠାରୁ ବଡ଼ ଜାତୀୟ ପତାକା ଲଗାଯାଇଛି । ରବିବାର ଦିନ ଖାଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ଓ ପ୍ରତିବାଦ କରିବା ସହ ଭାରତୀୟ ଜାତୀୟ ପତାକାକୁ କାଢି ଫିଙ୍ଗି ଦେଇଥିଲେ । ଏବଂ ସେହି ସ୍ଥାନରେ ଖାଲିସ୍ତାନୀ ପତାକା ଲଗାଇଥିଲେ । ଏବେ ସେଠାରେ ତାଠାରୁ ବଡ଼ ପତାକା ଲାଗିଥିବା ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ଖାଲିସ୍ତାନର ସମର୍ଥକ ଗୋଷ୍ଠୀ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଅମ୍ରିତପାଲ ସିଂଙ୍କ ସପକ୍ଷରେ ବାହାରି ଖାଲିସ୍ତାନୀ ପତାକା ଓ ଅମ୍ରିତପାଲଙ୍କ ପୋଷ୍ଟର ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆମକୁ ନ୍ୟାୟ ଦରକାର ଓ ଆମେ ଅମ୍ରିତପାଲଙ୍କ ସହ ଅଛୁ ବୋଲି ଲେଖାଥିବା ପୋଷ୍ଟର ଧରି ହଙ୍ଗାମା କରିଥିଲେ । ଖାଲିସ୍ତାନୀ ସମର୍ଥକଙ୍କ ହଙ୍ଗାମାକୁ କାବୁ କରିବାକୁ ପୋଲିସ ମଧ୍ୟ ପହଂଚିଥିଲା ।