ବିଶ୍ୱର ୫୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ ସହର: ସ୍ୱିଜରଲ୍ୟାଣ୍ଡର ଆଇକ୍ୟୁ ଏୟାର ପକ୍ଷରୁ ଜାରି ହେଲା ରିପୋର୍ଟ

380

କନକ ବ୍ୟୁରୋ: ଜାରି ହୋଇଛି ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶର ତାଲିକା । ସ୍ୱିଜରଲ୍ୟାଣ୍ଡର ଆଇକ୍ୟୁ ଏୟାର ପକ୍ଷରୁ ଜାରି ହୋଇଛି ଏହି ତାଲିକା । ଏଥିରେ ଭାରତ ଅଷ୍ଟମ ସ୍ଥାନରେ ରହିଛି । ଆଉ ଦିଲ୍ଲୀ ଭାରତର ସବୁଠାରୁ ପ୍ରଦୂଷିତ ସହର ଭାବେ ସ୍ଥାନ ପାଇଛି । ଭାରତୀୟ ସହର ଗୁଡ଼ିକରେ ପାର୍ଟିକୁଲେଟ ମ୍ୟାଟର ବା ପିଏମ୍ ୨ ଦଶମିକ ୫, ୫୩ ଦଶମିକ ୩ ମାଇକ୍ରୋଗ୍ରାମ ବା କ୍ୟୁବିକ୍ ମିଟର୍ ରହିଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁରକ୍ଷିତ ସୀମାଠାରୁ ୧୦ ଗୁଣା ଅଧିକ । ମୋଟ ୧୩୧ ଦେଶର ଡାଟାକୁ ଆଧାର କରି ଏହି ରିପୋର୍ଟ ଜାରି କରାଯାଇଛି । ରିପୋର୍ଟରେ ପାକିସ୍ତାନର ଲାହୋର ସବୁଠାରୁ ପ୍ରଦୂଷିତ ସହର ମାନ୍ୟତା ପାଇଛି । ଦ୍ୱିତୀୟରେ ଚୀନର ହୋତାନ, ତୃତୀୟ ରାଜସ୍ଥାନର ଭିୱାଡି ଏବଂ ଚତୁର୍ଥରେ ଦିଲ୍ଲୀ ସ୍ଥାନ ପାଇଛି । ଏୟାର କ୍ୱାଲିଟି ରିପୋର୍ଟ ଅନୁସାରେ, ଶ୍ରେଷ୍ଠ ୧୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬ଟି ସହର ରହିଛି । ସେହିପରି ଟପ୍-୫୦ରେ ଭାରତର ୩୯ଟି ସହର ରହିଛନ୍ତି । ରିପୋର୍ଟରେ ଦିଲ୍ଲୀ ଓ ନୂଆଦିଲ୍ଲୀ ଟପ୍-୧୦ରେ ରହିଛନ୍ତି । ଓଡ଼ିଶାର ଏକମାତ୍ର ସହର ଭାବେ ତାଳଚେର ମଧ୍ୟ ଏହି ତାଲିକାରେ ରହିଛି । ତାଳଚେର ୧୭୩ତମ ସ୍ଥାନରେ ରହିଛି ।