କନକ ବ୍ୟୁରୋ : କର୍ଣ୍ଣାଟକ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ଗତକାଲି ଦେଶର ୩ ଉତ୍ତର-ପୂର୍ବ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଶାହା କହିଛନ୍ତି କି ଏହି ୩ରାଜ୍ୟରେ କଂଗ୍ରେସ ଶେଷ ହୋଇଯାଇଛି । ଏଭଳି ଭାବେ କଂଗ୍ରେସର ପରାଜୟ ହୋଇଛି କି ଦୂରବିକ୍ଷଣ ଯନ୍ତ୍ର ସହାୟତାରେ ଦେଖିଲେ ବି କଂଗ୍ରେସ ଦେଖାଯାଉନାହିଁ । ସୂଚନା ଥାଉକି ନାଗାଲାଣ୍ଡରେ କଂଗ୍ରେସକୁ ଶୂନ୍ୟ ଆସନ ମିଳିଥିବା ବେଳେ ମେଘାଳୟରେ ୩ଟି ଓ ତ୍ରିପୁରାରେ କଂଗ୍ରେସକୁ ମାତ୍ର ୪ଟି ଆସନ ମିଳିଛି ।

Advertisment

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି କି ଉତ୍ତର ପୂର୍ବ ରାଜ୍ୟରେ ଗୋଟିଏ ସମୟରେ ବିଜେପିର ପ୍ରବେଶ ସମ୍ଭବ ହୋଇପାରୁ ନଥିବା ବେଳେ ଏବେ ଏନଡିଏ ସେଠାରେ ଦ୍ୱିତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଶାହା କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାଦୁ ଫଳରେ ଏବେ ବିଜେପି ଉତ୍ତର-ପୂର୍ବ ରାଜ୍ୟ ସହ ଗୁଜରାଟ, ଉତ୍ତର ପ୍ରଦେଶରୁ ଆରମ୍ଭ କରି କର୍ଣ୍ଣାଟକ ପର୍ଯ୍ୟନ୍ତ ନିଜର ବିଜୟ ଅଭିଯାନ ଜାରି ରଖିଛି ।

ସେପଟେ ଖୁବଶୀଘ୍ର କର୍ଣ୍ଣାଟକରେ ବିଜେପି ତରଫରୁ ‘ବିଜୟ ସଂକଳ୍ପ ଯାତ୍ରା’ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି । ଏହାସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦିନକୁ ଦିନ ତଳକୁ ଯାଉଛି ବୋଲି କଟାକ୍ଷ କରିଛନ୍ତି ଗୃହମନ୍ତ୍ରୀ । ଏହାସହ ଶାହା ଆମ୍ ଆଦମୀ ପାର୍ଟିକୁ ବି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ମୋଦୀଙ୍କୁ ବିଦା କରିବାକୁ ସେମାନେ ଚାହୁଁଥିଲେ ବି ଦେଶରେ ୧୩୦ କୋଟି ଜନତା ମୋଦୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।