ସ୍ୱାଧୀନତା ଦିବସରେ ଶ୍ରୀନଗରର ଲାଲଚୌକରେ ତ୍ରିରଙ୍ଗା ଉଡାଇବେ ଶାହା ! ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି ।

407

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ପରିସ୍ଥିତି ଶାନ୍ତ ଥିବା ହେତୁ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଥରେ ଜାମ୍ମୁକାଶ୍ମୀର ଗସ୍ତରେ ଯିବେ ବୋଲି ସୂଚନା ମିଳିଛି । ସେ ଶ୍ରୀନଗରରେ ଲାଲଚୌକଠାରେ ଆଗାମୀ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏ ପ୍ରସଙ୍ଗରେ ଜାମ୍ମୁକାଶ୍ମୀର ପୁଲିସ ପାଖରେ ଠୋସ୍ ଖବର ନଥିବା କୁହାଯାଉଛି । ତେବେ ଏହାକୁ ଗୋପନୀୟ ରଖାଯାଇଛି । ଗଣମାଧ୍ୟମକୁ ବି କିଛି ସୂଚନା ଦିଆଯାଉନାହିଁ । ଖାଲି ସେତିକି ନୁହେଁ, ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅନ୍ୟପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଅଗଷ୍ଟ ୧୫ ଯାଏଁ ଘାଟିରେ ରହି ଜାମ୍ମୁକାଶ୍ମୀରର ବିଭିନ୍ନ ଅଂଚଳ ଗସ୍ତ କରି ସିଧାସଳଖ ଲୋକଙ୍କ ଓ ସହିତ ମିଶୁଛନ୍ତି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ ଲୋକଙ୍କ ମଧ୍ୟରେ କଣ ରହିଛି ଭାବନା, କିପରି ରହିଛି ସୁରକ୍ଷା ସ୍ଥିତି ସେ ନେଇ ନିଜେ ସମୀକ୍ଷା କରୁଛନ୍ତି ଡୋଭାଲ । ସେନା ଯବାନଙ୍କ ସହିତ ମିଶିବା ସହ ନିଜେ ଗ୍ରାଉଣ୍ଡ ଜିରୋରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରୁଛନ୍ତି । ସେ ସବୁ ଠିକଠାକ୍ ଥିବାର ରିପୋର୍ଟ ଦେବାପରେ ଅମିତ ଶାହଙ୍କ ଶ୍ରୀନଗର ଗସ୍ତ ଏବଂ ଲାଲଚୌକରେ ଆଗାମୀ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା କୁହାଯାଉଛି ।