ଫେବୃଆରୀ ୧୧ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ । ଠାକୁରନଗରରେ କରିବେ ରାଲି । ମତୁଆୟ ସମୁଦାୟକୁ କରିବେ ସମ୍ବୋଧିତ

42

କନକ ବ୍ରୁରୋ : ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହା ଫେବୃଆରୀ ୧୧ ତାରିଖ ଦିନ ପୁଣି ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ଠାକୁରନଗର ଠାରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଜାନୁଆରୀ ୩୦ ତାରିଖରେ ତାଙ୍କର ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଦିଲ୍ଲୀରେ ବୋମା ବିସ୍ଫୋରଣ ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା   ।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ବାବଦରେ ସୂଚନା ଦେଇଛନ୍ତି ବିଜେପି ସାଂସଦ ଶାନ୍ତୁନ ଠାକୁର । ତାଙ୍କ କହିବା ମୁତାବକ ୧୧ ତାରିଖ ଦିନ ୩.୩୦ ମିନିଟ୍ ସମୟରେ ଗୃହମନ୍ତ୍ରୀ ମତୁଆୟ ସମୁଦାୟ ଲୋକଙ୍କୁ ସମ୍ବୋଧିତ କରିବେ ।
ସୂଚନା ଥାଉକି ଆଜି (ଶନିବାର) ପଶ୍ଚିମବଙ୍ଗର ନଦିୟା ଠାରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ଏକ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସଭାରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଥିଲେ କି ‘ମା, ମାଟି , ମାନୁଷ ନାମରେ ସରକାରକୁ ଆସିଥିବା ଦିିଦିଙ୍କ ସରକାର ବଙ୍ଗଳା ଜନତାଙ୍କ ସହିତ ବେଇମାନି କରିଛି । ଦିଦିଙ୍କ ସରକାରରେ କେବଳ ତାନାସାହୀ ଶାସନ, ପ୍ରଶାସନର ରାଜନୀତିକରଣ, ପୋଲିସର ଅପରାଧିକରଣ ଓ ଭ୍ରଷ୍ଟାଚାରକୁ ସଂସ୍ଥାଗତୀକରଣ କରିବା ବ୍ୟତିତ ବଙ୍ଗଳାବାସୀଙ୍କ ପାଇଁ ଦିଦି କିଛି ବି କରିନାହାନ୍ତି ।
କହିରଖୁ କି ଚଳିତବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇପାରେ ବିଧାନସଭା ନିର୍ବାଚନ । ଏନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିନଥିବା ବେଳେ ଏବେଠୁ ସେଠାରେ ରାଜନୀତି ସରଗରମ ହେବାରେ ଲାଗିଛି । ପଶ୍ଚିମବଙ୍ଗ ଦଖଲ କରିବାକୁ ବିଜେପି ଅଣ୍ଟା ଭିଡିଥିବା ବେଳେ ବିଜେପିକୁ ପ୍ରତିହତ କରିବାକୁ ମମତା ବାନାର୍ଜୀ ବିଭିନ୍ନ ରଣକୌଶଳ ଆପଣାଉଛନ୍ତି ।