ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି କରିଥିବା ଡକ୍ୟୁମେଣ୍ଟାରୀ । ବିବାଦରେ ଆମେରିକା ବିଦେଶମନ୍ତ୍ରଣାଳୟର ପ୍ରବକ୍ତାଙ୍କ ବୟାନ

210

କନକ ବ୍ୟୁରୋ : ୨୦୦୨ ଗୁଜରାଟ ଦଙ୍ଗା ଉପରେ ବ୍ରିଟିସ ବ୍ରଡକାଷ୍ଟର ବିବିସି ତରଫରୁ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି । ଏହି ଡକ୍ୟୁମେଣ୍ଟାରୀ ନାମ ରହିଛି ‘ଇଣ୍ଡିଆ ଦ ମୋଦୀ କ୍ୱେଶ୍ଚନ’  । ଏହି ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି । ଭାରତ ସରକାରଙ୍କ ତରଫରୁ ଏହି ଡକ୍ୟୁମେଣ୍ଟାରୀକୁ ୟୁଟ୍ୟୁବର ହଟାଇ ଦିଆଯାଇଛି । ଏହାସହ ଏହି ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର ହୋଇଥିବା ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଭାରତ ସରକାର ଏକ ପ୍ରୋପଗେଣ୍ଡା ବୋଲି କହିଛନ୍ତି ।

ଏହି ବିବାଦ ଭିତରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କରିଥିବା ବେଳେ ଡକ୍ୟୁମେଣ୍ଟାରୀକୁ ନେଇ ଆମେରିକା ବିଦେଶମନ୍ତ୍ରଣାଳୟର ପ୍ରବକ୍ତାଙ୍କ ବୟାନ ଏବେ ଚର୍ଚ୍ଚା ହେଉଛି । ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି କି, ଏହା ଗଣମାଧ୍ୟମ ସ୍ୱତନ୍ତ୍ରତା ମାମଲା । ଏହାସହ ଆମେରିକା ସାରା ବିଶ୍ୱର ଗଣମାଧ୍ୟମ ଓ ବ୍ୟକ୍ତି ଅଭିବ୍ୟକ୍ତିର ସ୍ୱାଧୀନତା ଭଳି ଲୋକତାନ୍ତ୍ରିକ ସିଦ୍ଧାନ୍ତକୁ ସମର୍ଥନ କରେ ବୋଲି କହିଛନ୍ତି । ଅର୍ଥାତ ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଏହି ଡକ୍ୟୁମେଣ୍ଟାରୀକୁ ପରୋକ୍ଷରେ ସମର୍ଥନ କରିଛନ୍ତି   ।

ବୁଧବାର ଦିନ ଦୈନିକ ପ୍ରେସ ବାର୍ତ୍ତା କ୍ରମରେ ଆମେରିକା ବଦେଶ ମନ୍ତ୍ରଣାଳୟର ପ୍ରବକ୍ତା ନେଡ୍ ପ୍ରାଇସଙ୍କୁ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଏଆରୱାଇ ଭାରତରେ ବିବିସି ଡକ୍ୟୁମେଣ୍ଟାରୀ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ନେଡ ପ୍ରାଇସ କହିଥିଲେ କି ଏହା ଗଣମାଧ୍ୟମର ସ୍ୱତନ୍ତ୍ରତା ମାମଲା । ଏହାସହ ଭାରତ ସହିତ ସାରା ବିଶ୍ୱରେ ଅଭିବ୍ୟକ୍ତିର ସ୍ୱାଧୀନତା ଭଳି ଲୋକତାନ୍ତ୍ରିକ ସିଦ୍ଧାନ୍ତର ମହତ୍ୱକୁ ଉଜାଗର କରିବାକୁ ଏହା ଏକ ପ୍ରକୁଷ୍ଟ ସମୟ ।