ହାତୀ କଙ୍କାଳ ପରୀକ୍ଷଣ ପାଇଁ ଆସିଲା କିଟ୍: ହାଡରୁ ଡିଏନଏ ଚିହ୍ନିବ ଆମେରିକା କିଟ୍

62

କନକ ବ୍ୟୁରୋ: କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଦନ୍ତା ଶିକାର ବଢିଛି । କେଉଁଠି ମାଟି ତଳୁ ହାତୀର କଙ୍କାଳ ହେଲାଣି, ପୁଣି କେଉଁ ବନଖଣ୍ଡରୁ ଅଧାପୋଡା ହାତୀ କଙ୍କାଳ ମିଳିଛି । ବନବିଭାଗ ଜବତ କରିଥିବା ହାତୀର କଙ୍କାଳକୁ ଓୟୁଏଟିରେ ଆଣି ଯାଂଚ କରି ମୃତ୍ୟୁର କାରଣ ଜାଣିବାକୁ ଉଦ୍ୟମ ହେଉଛି । ଏହାରି ଭିତରେ ତଦନ୍ତକୁ ସହଜ କରିବା ପାଇଁ ଏବେ ଆମେରିକାରୁ ଏକ କିଟ୍ ମଗାଯାଇଛି ।

ହାତୀ କଙ୍କାଳ ପରୀକ୍ଷଣ ପାଇଁ ଆମେରିକାରୁ ଓୟୁଏଟିକୁ ଡିଏନଏ ଟେଷ୍ଟିଂ କିଟ୍ ଆସିଛି । ଏହି କିଟ୍ ଜରିଆରେ ହାତୀର ହାଡରୁ ଡିଏନଏ ଚିହ୍ନଟ କରାଯାଇ ପାରିବ । ପ୍ରଥମ ଥର ପାଇଁ ଓୟୁଏଟିରେ ୭ଟି ହାତୀର କଙ୍କାଳକୁ ଏହି କିଟ୍ ଜରିଆରେ ଯାଂଚ କରାଯାଉଛି ।

ଏହି କିଟ୍ ଦ୍ୱାରା
ହାଡରୁ ଡିଏନଏ ଚିହ୍ନଟ କରାଯାଇପାରିବ
କଙ୍କାଳରୁ ମଲିକୁଲାର ଲେବୁଲ ଜଣାପଡ଼ିବ
ଜବତ କଙ୍କାଳରୁ ହାତୀର ଲିଙ୍ଗ, ବୟସ ନିରୂପଣ କରାଯାଇପାରିବ

ବନବିଭାଗ ଜବତ କରିଥିବା ହାତୀର କଙ୍କାଳରେ ରକ୍ତ, ଚର୍ମ କିଛି ଲାଗି ନଥିବାରୁ ମୃତ୍ୟୁର କାରଣ, ବୟସ ଓ ଲିଙ୍ଗ ନିରୂପଣ କରିବାରେ କଷ୍ଟ ହେଉଛି । ବର୍ତମାନ ଓୟୁଏଟିରେ ଆଠଗଡ, ସାତକୋଶିଆ ଓ ସମ୍ବଲପୁର ଫରେଷ୍ଟ ଡିଭିଜନର ୭ଟି ହାତୀ କଙ୍କାଳର ପରୀକ୍ଷା ଚାଲିଛି । କିଟ୍ ମିଳିବା ପରେ ପରୀକ୍ଷଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଥିବା ଜଣାପଡିଛି ।

ବିଭିନ୍ନ ବନଖଣ୍ଡରେ କେଉଁ ପରିସ୍ଥିତିରେ ୭ଟି ହାତୀର ମୃତ୍ୟୁ ହେଲା? ହାତୀକୁ ହତ୍ୟା କରାଯାଇଛି କି? ହାତୀକୁ ହତ୍ୟା କରିବା ପରେ ଦାନ୍ତ କାଟି ନିଆଯାଇଛି କି? ପରୀକ୍ଷା ସରିବା ପରେ ଏସବୁ ପ୍ରଶ୍ନର ଉତର ମିଳିଯିବ ବୋଲି ଆଶା କରାଯାଉଛି ।