ପାକିସ୍ତାନରେ ଭାରତର ଆକ୍ରମଣକୁ ଆମେରିକାର ସମର୍ଥନ ! ଟ୍ରମ୍ପ ପ୍ରଶାସନ କହିଲା, ଭୁଲିଯାଅ ପାଲଟା କାର୍ଯ୍ୟାନୁଷ୍ଠାନ, ଆତଙ୍କୀଙ୍କ ଉପରେ ଲଗାଅ ଲଗାମ୍ ।

332

କନକ ବ୍ୟୁରୋ : ସୀମାପାର ଆତଙ୍କବାଦ ନେଇ ପାକିସ୍ତାନକୁ ଏକ ଘରକିଆ କରିବା ଅଭିଯାନକୁ ଆହୁରି ଗତି ଦେଇଛନ୍ତି କେନ୍ଦ୍ର ସରକାର । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ବିଭିନ୍ନ ଦେଶର ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ବାଲାକୋଟରେ ଜୈଶ ଠିକଣା ଉପରେ ହମଲା କରିଥିବା ନେଇ ଆମେରିକା ବିଦେଶମନ୍ତ୍ରୀ ମାଇକ୍ ପୋମ୍ପିୟୋଙ୍କ ସହ ଚୀନ୍, ସିଙ୍ଗାପୁର, ଆଫଗାନିସ୍ତାନ ବିଦେଶ ମନ୍ତ୍ରୀଙ୍କ ସହ ମଧ୍ୟ ସୁଷମା ଆଲୋଚନା କରିଛନ୍ତି  । ସେପଟେ ଆମେରିକା ଏହି ପ୍ରସଙ୍ଗରେ ପାକକୁ ଦେଇଛି କଡ଼ା ବାର୍ତ୍ତା ।

ସେନା କାର୍ଯ୍ୟାନୁଷ୍ଠାନ ଭୁଲିଯାଅ । ଆତଙ୍କବାଦୀଙ୍କ ଉପରେ ଲଗାଅ ଲଗାମ୍ । ଭାରତ ବିରୁଦ୍ଧରେ ସେନା କାର୍ଯ୍ୟାନୁଷ୍ଠାନ କଥା ଭାବୁଥିବା ପାକିସ୍ତାନକୁ କିଛି ଏଭଳି ଶବ୍ଦରେ କଡ଼ା ବାର୍ତା ଦେଇଛି ଆମେରିକା । ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପେଓ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ୍ ମେହମୁଦ୍ କୁରୈଶୀଙ୍କ ସହ ଏ ସମ୍ପର୍କରେ କହିଛନ୍ତି, ଆଂଚଳିକ ଶାନ୍ତି ବଜାୟ ରଖିବାକୁ ପାକିସ୍ତାନ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ କଥା ସ୍ୱପ୍ନରେ ବି ନଭାବୁ । ବରଂ ପାକିସ୍ତାନ ମାଟିରେ ପ୍ରଶ୍ରୟ ପାଉଥିବା ଆତଙ୍କବାଦୀଙ୍କ ଉପରେ ଲଗାମ୍ ଲଗାଇବା କଥା ଚିନ୍ତା କରୁ ଇସଲାମାବାଦ୍ । ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପେଓଙ୍କ ବୟାନ୍ ଠିକ ସେତିକି ବେଳେ ଆସିଛି, ଯେତେବେଳେ ପାକିସ୍ତାନ ମାଟିରେ ପଶି ଭାରତୀୟ ବାୟୁସେନା ନିପାତ କରିଛି ଜୈଶ୍ ଶିବିର ଓ ସାରା ବିଶ୍ୱ ଏହାକୁ ସମର୍ଥନ ଜଣାଇଛି  । ସେପଟେ ଉହାନରେ ସୁଷମା ସ୍ୱରାଜ୍ ଏ ସମ୍ପର୍କରେ ଚୀନ ଓ ରୁଷ୍ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି  ।

ପାକ୍ ବିରୁଦ୍ଧରେ ଭାରତ କୂଟନୀତି :

– କାର୍ଯ୍ୟାନୁଷ୍ଠାନ ପରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ସମର୍ଥନ ଓ ସହାନୁଭୂତି ହାସଲ୍ ପାଇଁ ଚେଷ୍ଟା କରୁଥିବା ବେଳେ ଭାରତ ଏକଘରିକିଆ କରିବାକୁ ଚେଷ୍ଟା ଚଳାଇଛି  ।

– ଆମେରିକା, ରୁଷ୍, ଅଷ୍ଟ୍ରେଲିଆ, ବ୍ରିଟେନ୍ ସମେତ ଅଧିକାଂଶ ଦେଶ ଭାରତର କାର୍ଯ୍ୟାନୁଷ୍ଠାନକୁ ଠିକ ଦର୍ଶାଇ ଘଟଣାରେ ଭାରତକୁ ସମର୍ଥନ କରିଛନ୍ତି  ।

– ଅନ୍ତର୍ଜାତୀୟ ଚାପରେ ପାକିସ୍ତାନର ଅତି ନିକଟତମ ବନ୍ଧୁ କୁହାଯାଉଥିବା ଚୀନ ମଧ୍ୟ ଏହି ପ୍ରସଙ୍ଗରେ ପାକିସ୍ତାନକୁ ଛାଡ଼ି ଭାରତକୁ ସମର୍ଥନ କରିବାକୁ ବାଧ୍ୟ ହୋଇଛି  ।

ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଇ ଆସୁଥିବା ପାକିସ୍ତାନକୁ କୂଟନୀତି ସ୍ତରରେ ଘେରିବାକୁ ଭାରତ ଜୋରଦାର୍ ପ୍ରୟାସ୍ କରିଛି । ସେପଟେ ଆତଙ୍କ ବିରୁଦ୍ଧରେ ଭାରତର ଏୟାର୍ ଷ୍ଟ୍ରାଇକ୍ ଓ ଏହି ପ୍ରସଙ୍ଗରେ ସାରା ବିଶ୍ୱ ଭାରତକୁ ଦୃଢ଼ ସମର୍ଥନ ଜଣାଇବା ଏକପ୍ରକାର ନିଦ ହଜାଇ ଦେଇଛି ଇସାଲାମାବାଦର ।