ଢେଙ୍କାନାଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଆମ୍ବୁଲାନ୍ସ ନମିଳିବାରୁ ଚାଲିଗଲା ରୋଗୀର ଜୀବନ । ସେପଟେ ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ପ୍ରସୂତି

210

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ଆସିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ସରକାର ସ୍ୱାସ୍ଥ୍ୟସେବାରେ ଫାଇଭ୍ ଟି ବ୍ୟବସ୍ଥା ଲାଗୁ କରିବା ପରେ ବି ସୁଧୁରୁନି ରୋଗୀ ସେବାର ଚିତ୍ର । ରୋଗୀକୁ ଆଂବୁଲାନ୍ସ ମିଳିଲାନି ବୋଲି ଚାଲିଗଲା ଜୀବନ । ସେପଟେ ଚିକିତ୍ସା ଅବହେଳାରୁ ଆଖି ବୁଜିଛନ୍ତି ପ୍ରସୂତୀ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ । କଙ୍କଡାହାଡ ବ୍ଲକର କଂଟାପାଳ କଲୋନୀରେ ସୁଜାତା ପାତ୍ର ନାମକ ମହିଳା ଯକୃତ ରୋଗର ଶିକାର ହୋଇଥିଲେ । ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ଅଣାଯାଇଥିଲା ।

ଅବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ୧୦୮ ଆଂବୁଲାନ୍ସକୁ ଯୋଗା ଯୋଗ କରିଥିଲେ ମଧ୍ୟ ତାହା ଆସିନଥିଲା । ଶେଷରେ ସୁଜାତା ଆମ୍ୱୁଲାନ୍ସକୁ ଅପେକ୍ଷା କରି ଆଖି ବୁଜିଥିଲେ । ସେହିପରି ଚିକିତ୍ସା ଅବହେଳାରୁ ଡାକ୍ତରଖାନାରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଙ୍କଡାହାଡ ବ୍ଲକ ଅଂଚଳର ଆଦିବାସୀ ମହିଳା ସବିତା ସିଂହ ଡାକ୍ତରଖାନାରେ ଗତକାଲି ଦିନ ୧୨ଟାରେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିଲେ ।

ତାଙ୍କୁ ଡାକ୍ତର ଚିକିତ୍ସା କରୁଥିଲେ । ଗତକାଲି ରାତି ୯ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର ଏହାକୁ ହୃଦଘାତ ଜନିତ ମୃତ୍ୟୁ କହୁଛନ୍ତି । ପରିବାର ଲୋକେ ଏହାକୁ ମାନିବାକୁ ନାରାଜ । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ମହିଳାଙ୍କ ଚିକିତ୍ସା କରିଥିବା ଡାକ୍ତର ।