କେନ୍ଦୁଝରରେ ଅଭାବନୀୟ ଘଟଣା । ବାଉଁଶବୋଝେଇ ପିକଅପ୍ ଭ୍ୟାନ ସହ ବାଇକ୍ ଧକ୍କା । ଆରୋହୀଙ୍କ ବେକରେ ପଶିଗଲା ବାଉଁଶ

ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି

820

କନକ ବ୍ୟୁରୋ: ବାଇକ୍ ଆରୋହୀଙ୍କ ବେକରେ ପଶିଗଲା ବାଉଁଶ । ପିକଅପ୍ ଭ୍ୟାନରେ ବିପଜ୍ଜନକ ଭାବେ ବାଉଁଶ ପରିବହନର କରୁଣ ପରିଣତି ଦେଖିବାକୁ ମିଳିଛି । ପଛରେ ଯାଉଥିବା ଜଣେ ବାଉଁଶ ଚାଳକଙ୍କ ବେକରେ ଏକ ବଡ ବାଉଁଶ ପଶିଯାଇଛି । ଏଥିରେ ଘସିପୁରା ଥାନା ଜାମୁବାହାଳି ଗାଁର ସାନୁ ତିରିଆ ଗୁରୁତର ଆହତ ହୋଇଛନ୍ତି । ସାନୁ ବାଇକରେ ଛେନାପଦିରୁ ଆନନ୍ଦପୁର ଆଡକୁ ଯାଉଥିଲେ । ତାଙ୍କ ଆଗରେ ଏକ ପିକ୍ ଅପ୍ ଭ୍ୟାନ ଟେଂଟ୍ ପାର୍ଟି ବାଉଁଶ ନେଇ ଯାଉଥିଲା ।

ବାଉଁଶ ଗୁଡିକ ଡାଲାରୁ ବହୁ ପଛକୁ ଲମ୍ବିଥିଲା । ଏକ ଛକ ନିକଟରେ ଭ୍ୟାନଟି ହଠାତ୍ ବ୍ରେକ୍ ଦେଇ ଡାହାଣକୁ ବୁଲାଇଥିଲା । ଲମ୍ବା ବାଉଁଶଟି ବୁଲିଯିବାରୁ ପଛରେ ଯାଉଥିବା ବାଇକ୍ ଚାଳକ ସାନୁଙ୍କ ବେକ ମୂଳରେ ପଶିଯାଇଥିଲା । ବାଉଁଶଟି ତାଙ୍କ ଡାହାଣ ପାଖ ବେକମୂଳ ଦେଇ କାନ ପାଖରେ ବାହାରିଯାଇଥିଲା । ବ୍ୟକ୍ତି ଜଣକ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ।

ବାଉଁଶଟି ସେମିତି ତାଙ୍କ ବେକମୂଳରେ ପଶି ରହିଥିଲା । ଆନନ୍ଦପୁର ଅଗ୍ନିଶମ ବାହୀନୀ ବାଉଁଶଟିକୁ କାଟି ଛୋଟ କରିବା ସହ ତାଙ୍କୁ ଡାକ୍ତର ଖାନାରେ ଭର୍ତି କରିଥିଲା । ସେଠାରେ ବାଉଁଶଟିକୁ ବାହାର କରାଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ରହିଛି । ବ୍ୟକ୍ତି ଜଣକ ଏବେ କଟକ ଏସସିିବିରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଘଟଣାସ୍ଥଳରୁ ବାଉଁଶବୋଝେଇ ଭ୍ୟାନ ନେଇ ଡ୍ରାଇଭର ଫେରାର ହୋଇଯାଇଛି ।