ଚାମ୍ପିୟନ୍ ହେବା ପରେ କାହିଁକି ଟ୍ରଫି ଉଠାଇଥିଲେ ରାଇଡୁ ଆଉ ଜାଡେଜା? କାହିଁକି ଆଇପିଏଲ୍ ଟ୍ରଫି ଉଠାଇ ନଥିଲେ କ୍ୟାପଟେନ୍ ଧୋନୀ? ଖୁଲାସା କଲେ ଅମ୍ବାତି ରାଇଡୁ

894

କନକ ବ୍ୟୁରୋ: ଆଇପିଏଲ୍ ଫାଇନାଲ କଥା ତ ଆପଣଙ୍କୁ ନିଶ୍ଚୟ ମନେଥିବ । ଗୁଜରାଟ ଟାଇଟନ୍ସକୁ ହରାଇ ଏଥର ପଞ୍ଚମ ଥର ପାଇଁ ଟ୍ରଫି ଜିତିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ଆଉ ଧୋନୀ ପୁଣିଥରେ କ୍ୟାପଟେନ୍ ସାଜି ନିଜ ଦଳକୁ ଚାମ୍ପିୟନ୍ କରାଇଥିଲେ । ହେଲେ ଫାଇନାଲ ମ୍ୟାଚରେ ଚାମ୍ପିୟନ୍ ହେବା ପରେ, ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । କ୍ୟାପଟେନ୍ ଧୋନୀ ନୁହେଁ, ବରଂ ସିଏସକେ ଟିମର ଦୁଇ ଷ୍ଟାର ଖେଳାଳି ଅମ୍ବାତି ରାଇଡୁ ଆଉ ରବୀନ୍ଦ୍ର ଜାଡେଜା ଆଇପିଏଲ୍ ଟ୍ରଫିକୁ ତୋଳି ଧରିଥିଲେ । ତେବେ ଏପରି ହେବା ପଛର କାରଣ ଏବେ ଖୁଲାସା କରିଛନ୍ତି ଅମ୍ବାତି ରାଇଡୁ ।

ଆଇପିଏଲ୍ ଫାଇନାଲରେ ଚାମ୍ପିୟନ୍ ହେଲା ପରେ ଆୟୋଜିତ ହୋଇଥିଲା ପ୍ରେଜେଟିଂ ସେରେମନି । ଏହି ସମୟରେ ବିସିସିଆଇ ସଭାପତି ରୋଜର ବିନ୍ନି ଆଉ ସମ୍ପାଦକ ଜୟ ଶାହା ଚେନ୍ନାଇ ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଇପିଏଲ୍ ଟ୍ରଫି ଦେଇଥିଲେ । ହେଲେ ଏହି ସମୟରେ ଧୋନୀଙ୍କ ସହ ଷ୍ଟେଜରେ ରହିଥିଲେ ଅମ୍ବାତି ରାଇଡୁ ଆଉ ରବୀନ୍ଦ୍ର ଜାଡେଜା । ଧୋନୀ ନିଜେ ନୁହେଁ ବରଂ ତାଙ୍କ ଅନ୍ୟ ଦୁଇ ଟିମ୍ ମେଟଙ୍କୁ ଟ୍ରଫି ଧରାଇ ଦେଇଥିଲେ । ଆଉ ସେତେବେଳେ ଏହି ଘଟଣାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହେଇଥିଲା ।

ରାଇଡୁ ଏହି ଘଟଣା ପଛରେ ଥିବା କାରଣର ଖୁଲାସା କରି କହିଛନ୍ତି । ଏପରି କରିବାକୁ ଧୋନୀ ନିଜେ ହିଁ ସେମାନଙ୍କୁ କହିଥିଲେ । ଚେନ୍ନାଇ ଚାମ୍ପିୟନ୍ ହେବା ପରେ, ଯେତେବେଳେ ଧୋନୀ ଟ୍ରଫି ନେବାକୁ ଷ୍ଟେଜ୍ ଉପରକୁ ଯାଇଥିଲେ, ତା ପୂର୍ବରୁ ସେ ଜାଡେଜା ଆଉ ରାଇଡୁଙ୍କୁ ତାଙ୍କ ସହ ଟ୍ରଫି ଉଠାଇବାକୁ କହିଥିଲେ । ଆଉ ଧୋନୀଙ୍କ କହିବା ମୁତାବକ , ଷ୍ଟେଜକୁ ଯାଇ ଟ୍ରଫି ଉଠାଇଥିଲେ ଏହି ଦୁଇ ଚାମ୍ପିୟନ୍ ଖେଳାଳି ।

ଜାଡେଜା ଆଉ ରାଇଡୁଙ୍କୁ ସେତେବେଳେ ଧୋନୀ କହିଥିଲେ ଟ୍ରଫି ଉଠାଇବା ପାଇଁ ଏ ହେଉଛି ତାଙ୍କ ଦୁଇ ଜଣଙ୍କ ପାଇଁ ସବୁଠୁ ଖାସ୍ ସମୟ । କାହିଁକି ନା ରାଇଡୁ ଫାଇନାଲ ମ୍ୟାଚ୍ ପୂର୍ବରୁ ନିଜର ସନ୍ନ୍ୟାସ ଘୋଷଣା କରିସାରିଥିଲେ । ଆଉ ଜାଡେଜା ବି ହାରୁ ହାରୁ ଚେନ୍ନାଇକୁ ଚାମ୍ପିୟନ୍ କରାଇଥିଲେ । ତେଣୁ ଏହି ଦୁଇ ଖେଳାଳିଙ୍କୁ ଡାକି ଧୋନୀ ଟ୍ରଫି ଧରାଇବାକୁ ସେଦିନ କହିଥିବା ଖୁଲାସା କରିଛନ୍ତି ଅମ୍ବାତି ରାଇଡୁ ।

ଏଥର ଆଇପିଏଲ୍ ଫାଇନାଲ ମ୍ୟାଚରେ ଅମ୍ବାତି ରାଇଡୁ ଛୋଟ୍ ଇଂନିସ ଖେଳିଥିଲେ ବି ଗୁରୁତ୍ୱପୂର୍ଣ୍ଣ ରନ୍ ହାସଲ କରିଥିଲେ । ସେହିଭଳି ରବୀନ୍ଦ୍ର ଜାଡେଜା ବି ୱିକେଟ୍ ନେବା ସହିତ ଦମଦାର ବ୍ୟାଟିଂ କରି ଚେନ୍ନାଇକୁ ଚାମ୍ପିୟନ୍ କରିଥିଲେ । ତେଣୁ ଏହି ଦୁଇ ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ କାରଣରୁ ସେଦିନ ଆଇପିଏଲ୍ ଚାମ୍ପିୟନ୍ ହୋଇପାରିଥିଲା ଚେନ୍ନାଇ ସୁପର କିଙ୍ଗସ୍ ।