ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗ । ମଷ୍ଟରରୋଲରେ ଗଡୁଛି ମୃତ ବ୍ୟକ୍ତିଙ୍କ ନାଁ, ବ୍ୟାଙ୍କରୁ ଉଠୁଛି ଟଙ୍କା ।

183

କନକ ବ୍ୟୁରୋ: ଏମଜିଏନଆରଇଜିଏ ଯୋଜନା ଅନ୍ତର୍ଗତ ପ୍ରକଳ୍ପ କାମରେ ମୃତବ୍ୟକ୍ତିଙ୍କ ନାଁ ମଷ୍ଟରରୋଲରେ ଚଢାଯାଇ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ନୀତିର ଏହି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଇସାଣପୁର ପଂଚାୟତରୁ । ଏଠି ଭୂତ ନାଁରେ ମନରେଗା କାମ ହୋଇଛି  ଏବଂ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ବ୍ୟାଙ୍କରୁ ଟଙ୍କା ଉଠାଯାଇଛି ।

ଗ୍ରାମାଂଚଳରେ କର୍ମନିଯୁକ୍ତି ଯୋଗାଇବା ଲାଗି ସରକାର ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ଏମଜିଏନଆରଇଜିଏ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଏହି ଯୋଜନାକୁ ବାଟମାରଣା କରୁଥିବା ଅଭିଯୋଗ ହୋଇଛି । ଯୋଜନାର ଅର୍ଥ ଆତ୍ମସାତ କରିବା ଲାଗି ମୃତ ବ୍ୟକ୍ତି, ଦିବ୍ୟାଙ୍ଗ ବ୍ୟକ୍ତି, ବୟସ୍କ ଓ ବିବାହିତ ମହିଳାଙ୍କ ନାଁ ମଷ୍ଟର ରୋଲରେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।

ଇଶାଣପୁର ପଂଚାୟତରେ ଆର୍ଥିକ ବର୍ଷ ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୦-୨୧ରେ ମନରେଗା ଯୋଜନାରେ ଏକାଧିକ ପ୍ରକଳ୍ପ କାମ କରାଯାଇଛି । ପଂଚାୟତ ଦାୟିତ୍ୱରେ ଥିବା ପିଇଓ, ଜିଆରଏସଙ୍କ ମାଧ୍ୟମରେ ଏହି ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି । ଗୋପ ବ୍ଲକର କିଛି ବିଭାଗୀୟ ଅଧିକାରୀ ଏଥିରେ ସାମିଲ ଥିବା ମଧ୍ୟ ଅଭିଯୋଗ ଆସିଛି ।

ମଷ୍ଟରରୋଲରେ ବ୍ୟକ୍ତିଙ୍କ ନାଁ ଓ ଠିକଣା ରହିଥିବା ବେଳେ ଚଂଚକତା କରି ସେମାନଙ୍କ ଆକାଉଂଟ ନମ୍ବରକୁ ବଦଳାଯାଇ ଅର୍ଥ ଆତ୍ମସାତ ହୋଇଥିବା ସ୍ଥାନୀୟ ବାସିନ୍ଦା ପୁରୀ ଜିଲ୍ଲାପାଳ ଏବଂ ଭିଜିଲାନ୍ସଙ୍କ ନିକଟରେ ଜଣାଇଛନ୍ତି । ଏବେ ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପକ୍ଷରେ ଗୋପ ବିଡିଓ କହିଛନ୍ତି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହା ପୂର୍ବରୁ ଏହି ପଂଚାୟତରେ ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ବାବଦକୁ ଆସିଥିବା ଅର୍ଥ ବର୍ଷ ବର୍ଷ ଧରି ଆତ୍ମସାତ କରାଯାଉଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହେବା ପରେ ଏହି ମାମଲା ବିଚାରଧୀନ ରହିଛି ।