୧୫ ଦିନର ଶିଶୁକୁ ବିକ୍ରି ଅଭିଯୋଗ : ୬ ହଜାର ଟଙ୍କାରେ ଜଣେ ଚିକେନ ଦୋକାନୀକୁ ବିକି ଦେଲା ବାପା

111

କନକ ବ୍ୟୁରୋ : ଜଗତସିଂହପୁର ସହର ମୁଣ୍ଡାସାହିରେ ୧୫ଦିନର ଶିଶୁ ବିକ୍ରି ଅଭିଯୋଗ । ୬ହଜାର ଟଙ୍କାରେ ଜଣେ ଚିକେନ୍ ଦୋକାନିକୁ ନିଜ ଶିଶୁ ପୁତ୍ରକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଶିଶୁ ସୁରକ୍ଷା ବିଭାଗ ଓ ପୋଲିସ ଶିଶୁଟିକୁ ଉଦ୍ଧାର କରିବା ସହିତ ୧୫ ଦିନର ଶିଶୁଟିକୁ ସ୍ଥାନୀୟ ଶିଶୁ ଆଶ୍ରମରେ ରଖିଛି । ସୂଚନା ମୁତାବକ ଜଗତସିଂହପୁର ସଦରସ୍ଥିତ ଖେରସ ମୁଣ୍ଡାସାହିର ଭିମା ସିଂ ଓ ସୀତାସିଂଙ୍କ ୧୫ଦିନ ପୂର୍ବେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ ।

ମାତ୍ର ଭିମା ନିଶାସକ୍ତ ଅବସ୍ଥାରେ ସବୁ ସମୟରେ ନିଜ ସ୍ତ୍ରୀ ସୀତାକୁ ମାଡ଼ ମାରିଥିବା ହେତୁ ସୀତା ନିଜ ପିଲାଟିକୁ ଛାଡି ଚାଲି ଯାଇଥିଲା । ପରେ ପିଲାଟିର ଜେଜେମା ପିଲାଟିକୁ ରଖିଥିଲେ । ହେଲେ ବୟସ ଅଧିକ ହୋଇଯାଇଥିବାରୁ ପିଲାଟିର ଲାଳନପାଳନ କରିପାରି ନଥିଲେ । ଅନ୍ୟପଟେ ମଦ୍ୟପ ବାପା ଟଙ୍କା ଲୋଭରେ ପିଲାଟିକୁ ସଦର ଥାନା ଅନ୍ତର୍ଗତ ଏକ ଚିକେନ୍ ଦୋକାନିକୁ ବିକ୍ରି କରିଥିବା କହିଛନ୍ତି ଶିଶୁଟିର ଜେଜେମା ଓ ପଡ଼ୋଶୀ ।