କନକ ବ୍ୟୁରୋ : ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ଏନେଇ କେନ୍ଦୁଝର ଟାଉନ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ପୋଲିସ ଘରୋଇ ଡାକ୍ତରଖାନା ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୋଗ ଅନୁସାରେ ବାରିଆ ଥାନା ପଡୁଆ ଗାଁର ପୁଷ୍ପଲତା ମହାନ୍ତ ଗର୍ଭାଶୟ ଟ୍ୟୁମର ଅସ୍ତ୍ରୋପଚାର ହେବା ପାଇଁ କେନ୍ଦୁଝରର ଏକ ଘରୋଇ ହସ୍ପିଟାଲରେ ଗତ ଶନିବାର ଭର୍ତି ହୋଇଥିଲେ । ପରିବାରଲୋକେ ଲାପ୍ରୋସ୍କୋପିକ ଅପରେସନ ପାଇଁ ୪୦ ହଜାର ଟଙ୍କା ଓ ଟେଷ୍ଟ ପାଇଁ ଅଲଗା ଟଙ୍କା ପୈଠ କରିଥିଲେ ।
ଅପରେସନ କରିବା ପାଇଁ ରାତିରେ ପରିବାର ଲୋକଙ୍କୁ ରକ୍ତ ଯୋଗାଡ କରିବାକୁ କହିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ କଟକ ସ୍ଥାନାନ୍ତର କରିବା ବାଟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘରୋଇ ଡାକ୍ତରଖାନାର ମାଲିକ ଡାକ୍ତର ଜଗନ୍ନାଥ ପହିଙ୍କ ବିରୋଧରେ ଦଫା ୩୦୪-ଏରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ତେବେ ଡାକ୍ତର ଫେରାର ଥିବାରୁ ତାଙ୍କୁ ପୋଲିସ ପଚରାଉଚରା କରିପାରିନଥିବା ସୂଚନା ମିଳିଛି ।