କନକ ବ୍ୟୁରୋ: ବିଏମସି କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଅଳିଆ ଗାଡ଼ି ଆସୁନଥିବା ନେଇ ବିଏମ୍ସି ଆପ୍ ମାଧ୍ୟମରେ ଅଭିଯୋଗ କରିବାରୁ ଘର ଆଗରେ ଅଳିଆ ଗଦା କରିଦେଲେ ବିଏମ୍ସି ଅଧିକାରୀ । ଏଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର କୈଳାସ ବିହାରର କିଛି ବାସିନ୍ଦା । ବିଏମସି କର୍ମଚାରୀ ପ୍ରତିଶୋଧ ପରାୟଣ ହୋଇ ଏଭଳି କରୁଥିବା ଏଠାରେ ରହୁଥିବା ଭଡାଟିଆ ଅଭିଯୋଗ କରିଛନ୍ତି ।

Advertisment

କୈଳାସ ବିହାରର ପ୍ଲଟ ନମ୍ବର ଜିଏ-୬୫ରେ ରହୁଛନ୍ତି ୪ଟି ପରିବାର । ଏମାନେ ଅଭିଯୋଗ କରିଛନ୍ତି ଯେ ଶୁକ୍ରବାର ସକାଳେ ହଠାତ୍ ବିଏମସି ଗାଡ଼ିରେ କିଛି ଲୋକ ଆସି ଘର ବାହାରେ ନିଆଁ କାହିଁକି ଲାଗିଛି ପଚାରିଥିଲେ । ନିଆଁ ଲିଭାଇବା ପରେ ୫ହଜାର ଟଙ୍କାର ଫାଇନ ମାଗିଥିଲେ । ଆଉ ଚାଲାଣ ମାଗିବାରୁ ବିଏମ୍ସି କର୍ମଚାରୀ କହିଥିଲେ ଯେ ବିଏମ୍ସି ଅଫିସରେ ୨୦ ହଜାର ତଣ୍ଡ ଦେଲେ ଚାଲାଣ ଦିଆଯିବ । ତେବେ ବିଏମସି କର୍ମଚାରୀଙ୍କ ଏଭଳି ଆଚରଣ ସେଠାରେ ରହୁଥିବା ଭଡ଼ାଟିଆଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୋଗ ମୁତାବକ ପ୍ଲଟରେ ରହୁଥିବା କିଛି ସଦସ୍ୟ କିଛି ଦିନ ପୂର୍ବରୁ ବିଏମସି ସଫା ଆପରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏବେ ୪ ମାସ ହେଲା ସଫେଇ ଗାଡି ଠିକ ଭାବରେ ଆସୁଥିଲା । ହେଲେ ହଠାତ ବିଏମସି କର୍ମଚାରୀ ପ୍ରତିଶୋଧ ପରାୟଣ ଏମିତି କରିଥିବା କହିଛନ୍ତି ଏହି ଘରେ ରହୁଥିବା ଅନ୍ୟ କିଛି ଭଡାଟିଆ ।