ଭୟ ବଢାଉଛି ପଶ୍ଚିମବଙ୍ଗର ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁ : ସରକାରଙ୍କ ନିର୍ଦ୍ଦେଶ ପରେ ସିଲ ହେଲା ପଶ୍ଚିମବଙ୍ଗ ସୀମା

215

କନକ ବ୍ୟୁରୋ : ଭୟ ବଢାଇଛି ପଶ୍ଚିମବଙ୍ଗର ଟ୍ରିପଲ ମ୍ୟୁଟାଂଟ । ଏହାକୁ ବେଙ୍ଗଲ ଷ୍ଟ୍ରେନ ମଧ୍ୟ କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱରକୁ ଲାଗିଥିବା ସୀମାରେ କଡା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ପଶ୍ଚିମବଙ୍ଗରୁ ଫେରିଲେ ୧୪ଦିନିଆ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ପରେ ଓଡିଶା ସହ ଲାଗିଥିବା ପଶ୍ଚିମବଙ୍ଗରେ ସୀମାରେ ଚେକିଂ କଡାକଡି କରାଯାଇଛି ।

ଏଥିପାଇଁ ମୟୁରଭଞ୍ଜ ଓ  ବାଲେଶ୍ୱର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡିଶାକୁ ସଂ ଯୋଗ କରୁଥିବା ପଶ୍ଚିମବଙ୍ଗର ସମସ୍ତ ମୁଖ୍ୟ ରାସ୍ତା ଓ ଗଳାବାଟକୁ ମଧ୍ୟ ସିଲ କରାଯାଇଛି । ଏଥିସହ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖୀ ଫାଟକରେ କଡାକଡି ଚେକିଂ କରାଯାଉଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡିଗୁଡିକୁ ପ୍ରବେଶ ଅନୁମତି ଦିଆଯାଉଛି ।

ଯେଉଁମାନଙ୍କ ୪୮ ଘଂଟା ପୂର୍ବରୁ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଥିବ ସେମାନେ ଆସିବା ପାଇଁ ଅନୁମତି ମିଳିବ । କିନ୍ତୁ ସେମାନେ ହୋମ କ୍ୱାରେଂଟିନରେ ରହିବେ । ଯେଉଁମାନଙ୍କ ନେଟେଟିଭ ରିପୋର୍ଟ ନଥିବା ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ସୀମାରେ ଥିବା ଟିଏମସି କେନ୍ଦ୍ରରେ ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ । ବିମାନରେ ଆସୁଥିବା ଯାତ୍ରୀ ମଧ୍ୟ ୧୪ ଦିନିଆ ସଙ୍ଗରୋଧରେ ରହିବେ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।