ଏମିତି ଗାଁ ଯେଉଁଠି ସବୁ ଲୋକଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା ବାଲାନ୍ସ । ଜାଣନ୍ତୁ ଏହାର ରୋଚକ କାହାଣୀ

479

କନକ ବ୍ୟୁରୋ: ମହଲ ପରି ଘର, ଘର ଆଗରେ ଦାମୀ କାର, ଫାଇଭଷ୍ଟାର ହୋଟେଲ, ଏବଂ ହେଲିକପ୍ଟରରେ ବୁଲିବା ଏହା କୌଣସି ବଡ ସହରର ଦୃଶ୍ୟ ନୁହେଁ ବରଂ ଏକ ଗାଁର ଦୃଶ୍ୟ । ଗାଁ କଥା ମନକୁ ଆସିଲେ, ଚାରିଆଡେ ସବୁଜିମା, ଚାଳ ଘର, ଠାଏ ଠାଏ ମାଟି ରାସ୍ତାର ଦୃଶ୍ୟମନକୁ ଆସେ । ହେଲେ ଏମିତି ବି ଗାଁ ଅଛି ଯେଉଁଠି କେହିବି ଗରୀବ ନାହାଁନ୍ତି । ଏଠି ସମସ୍ତେ କୋଟିପତି । ସମସ୍ତଙ୍କ ଘର ଆଗରେ ଦାମୀ କାର୍ । ଏ ଗାଁ ଆମ ଦେଶରେ ନୁହେଁ ବରଂ ପଡୋଶୀ ଦେଶ ଚୀନରେ ।

 ଏହା ହେଉଛି ଚୀନ୍ ଜିଆଙ୍ଗସୁ ପ୍ରଦେଶର ଉଆଙ୍ଗଜି ଗାଁ । ଏହି ଗାଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଅନେକ ବଡ ବଡ ମେଟ୍ରୋ ସିଟିକୁ ପଛରେ ପକାଇଛି ଏହି ଗାଁ । ଏହା ସବୁଠାରୁ ଧନୀ ଗାଁର ମାନ୍ୟତା ପାଇଛି । ବଡବଡ ସହର ଏହି ଗାଁରେ ଫିକା ପଡିଯାଏ । ଏଠିକାର ଗାଁ ଲୋକଙ୍କ ଆୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଠିକାର ପ୍ରତିଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ବାଲାନ୍ସ ରହିଛି । ୨୦୧୪ରେ ଏଠିକାର ପ୍ରତି ଲୋକଙ୍କ ବାର୍ଷିକ ଆୟ ୮୮  ଲକ୍ଷ ଟଙ୍କା ଥିଲା । ଏହାପରେ ଏହି ଆୟ କ୍ରମାଗତ ବଢିବାରେ ଲାଗିଲା । ଏଥିପାଇଁ ଏହି ଗାଁକୁ ସୁପର ଭିଲେଜ ବୋଲି ମଧ୍ୟ କୁହାଯାଏ ।

 ବାଣିଜ୍ୟ କେନ୍ଦ୍ର କୁହାଯାଉଥିବା ସାଂଘାଇ ସହର ଠାରୁ ୧୩୫ କିଲୋମିଟର ଦୂରରେ ଥବବା ଏହି ଗାଁରେ ୧୭ରୁ ଅଧିକ କାରଖାନା ରହିଛି । ଯେଉଁଠାରେ ଷ୍ଟିଲ, ସିଲ୍କ ଓ ସେମିକଣ୍ଡକ୍ଟର ପ୍ରସ୍ତୁତି ପାଇଁ ପ୍ରସିଦ୍ଧ । ଏହାଛଡା ଏହି ଗାଁ ପର୍ଯ୍ୟଟନ ପାଇଁ ମଧ୍ୟ ବେଶ୍ ପରିଚିତ । ୨୦୧୨ରେ ଏହି ଗାଁ ନିଜ ଉଦ୍ୟୋଗରୁ ହିଁ ୬୪ ହଜାର କୋଟି ଟଙ୍କା ଆୟ କରିଥିଲା । ଏହି ଗାଁ ୧୯୬୧ ଯାଏଁ ଏକ ଗରୀବ ଗାଁ ଥିଲା । ହେଲେ ୧୯୬୨ରେ ଏହାର କାୟାକଳ୍ପ ବଦଳାଇବାକୁ ନିଷ୍ପତ୍ତି ନେଲେ କମ୍ୟୁନିଷ୍ଟ ପାର୍ଟିର ସ୍ଥାନୀୟ ସଚିବ ବୁ ରେନବାଓ  । ସାମୁହିକ କୃଷିକୁ ଗୁରୁତ୍ୱ ଦେବା ସହ ଉଦ୍ୟୋଗ ଶିଳ୍ପ ଆରମ୍ଭ କଲେ । ଏଠାରେ ସାମୁହିକ କୃଷି ପାଇଁ ଏକ କମ୍ପାନୀ ପ୍ରତିଷ୍ଠା କରାଗଲା । ଏହି କମ୍ପାନୀ ସେୟାର ମାର୍କେଟରେ ସ୍ଥାନ ପାଇଲା । ଆଊ ଗାଁରେ ରହୁଥିବା ପ୍ରତି ବ୍ୟକ୍ତି ଏହାର ସେୟାର ହୋଲ୍ଡର ହୋଇଗଲେ ।

ଏହି ଗାଁରେ ରହୁଥିବା ଲୋକଙ୍କ ମୋଟ ରୋଜଗାରର ୮୦ ପ୍ରତିଶତ ଅର୍ଥ ଟ୍ୟାକ୍ସରେ ଚାଲିଯାଉଛି । ଏକଥା ଶୁଣି ଆପଣ ହୁଏତ ବିଶ୍ୱାସ କରିପାରୁନଥିବେ । ହେଲେ ଏହି ମୋଟା ଅଙ୍କର ଟ୍ୟାକ୍ସ୍ ବଦଳରେ ସେମାନଙ୍କୁ ମିଳୁଛି ଆଲିସାନ୍ ଘର, ହେଲ୍ଥ ଇନସ୍ୟୁରାନ୍ସ, ମାଗଣା ଶିକ୍ଷା, ପଞ୍ଚତାରକା ହେଟେଲରେ ଖାଇବା, ହେଲିକପ୍ଟରରେ ବୁଲିବା ସବୁ ସୁବିଧା ମାଗଣାରେ ଯୋଗାଇଦିଆଯାଉଛି ।

 ହେଲେ ଏହି ଗାଁର ଆଉ ଦିଗ ମଧ୍ୟ ରହିଛି । ଏସବୁ ସୁବିଧା କେବଳ ଏଠିକାର ସ୍ଥାୟୀ ବାସିନ୍ଦାଙ୍କ ପାଇଁ  । ଏଠାକୁ କାମ କରିବାକୁ ଆସୁଥିବା ଅନ୍ୟ ଇଲାକାର ଲୋକଙ୍କୁ ସାମାନ୍ୟ ଦରମା ଦିଆଯାଏ । ଏଥିପାଇଁ କୁହାଯାଉଛି ଏହି ଗାଁ ହେଉଛି ଚୀନ୍ କମ୍ୟୁନିଷ୍ଟ ସରକାରଙ୍କର ଏକ ପ୍ରଚାର ମାଧ୍ୟମ । ସେ ଯାହାବି ହେଉ ଏହାଠାରୁ ସବୁ ଦେଶ ଅନେକ କିଛି ଶିଖିବାର ଅଛି ବୋଲି ମନେହୁଏ ।