ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି । କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କଲେ ସରକାର

3,358

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି । କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ବନ୍ଦ ଡାକରା ଯୋଗୁଁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରରାଯାଇଛି । ଏନେଇ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଟ୍ରେଡ ୟୁନିୟନର ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ବୁଧବାର ଦିନ ସ୍କୁଲ ବନ୍ଦ ରହିବ କି ନାହିଁ ସେନେଇ ନିଷ୍ପତି ଆସନ୍ତାକାଲି ନିଷ୍ପତି ହେବ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର ।

BHARAT bandରାଜ୍ୟ ସରକାରଙ୍କ ସ୍କୁଲ ଛୁଟି ଘୋଷଣା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ଆସନ୍ତା ୮ ଓ ୯ ତାରିଖରେ ଦୁଇ ଦିନିଆ ଧର୍ମଘଟ କରିବେ । ୮ ତାରିଖ ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ । ମୋଦି ସରକାରଙ୍କ ଆର୍ଥିକ ନୀତି ସାଧାରଣ ଲୋକ ଓ ଗରିବ ବିରୋଧୀ । ଏହି ସରକାର ଭାରତର ବଡ଼ କମ୍ପାନି, ବହୁଦେଶୀୟ କମ୍ପାନି ସମେତ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛି । ଏହାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି।

ଏହି ଧର୍ମଘଟ ଜରିଆରେ ମୋଦି ସରକାରଙ୍କୁ ସତର୍କବାଣୀ ଦିଆଯିବ । ଧର୍ମଘଟରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟ ସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ଯୋଗଦେବେ ।

ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ବିଜେଡ଼ି । କଂଗ୍ରେସ ମଧ୍ୟ ଭାରତ ବନ୍ଦ ଡାକରାରେ ସହମତ ବୋଲି ସୂଚନା ମିଳିଛି । ତେବେ ରାଜ୍ୟରେ କିନ୍ତୁ ସିଧାସଳଖ ଭାବେ କେହି ଭାରତ ବନ୍ଦ ଡାକରାରେ ଯୋଡ଼ିହେବେ ନାହିଁ । ସଂଗଠନ ସହ ଯେଉଁମାନେ ଜଡ଼ିତ ସେମାନେ ଭାରତ ବନ୍ଦ ପାଳନରେ ସାମିଲ ହୋଇପାରନ୍ତି ।ସବୁଠାରୁ ବଡ କଥା ହେଉଛି କାଲିଠୁ ହେବାକୁ ଥିବା ବିକ୍ଷୋଭରେ ୨ଟି ବ୍ୟାଙ୍କ ୟୁନିୟନର ମଧ୍ୟ ସମର୍ଥନ ମିଳିଛି । ଏହି ଦୁଇ ଦିନ ଧରି କେବଳ ସରକାରୀ ବ୍ୟାଙ୍କ ଗୁଡିକର କାର୍ଯ୍ୟ ବନ୍ଦ ରହିବ । ପ୍ରାଇଭେଟ୍ ବ୍ୟାଙ୍କ ଗୁଡିକର କାର୍ଯ୍ୟ ସୂଚାରୁରୂପେ ଜାରି ରହିବ ।

ଅନ୍ୟପଟେ ଆସନ୍ତାକାଲି କୃଷକଙ୍କ ସମସ୍ୟା ନେଇ ରାଜଧାନୀ ଦିଲ୍ଲୀରେ ପ୍ରତିବାଦ ସଭା ଏବଂ ଧାରଣା କରିବ ବିଜେଡି । ଚାଷୀଙ୍କ ହକ୍ ପାଇଁ ଦିଲ୍ଲୀ ଦରବାରରେ ବିକ୍ଷୋଭ କରିବେ ରାଜ୍ୟ ସରକାର । ଧାନର ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ବିଜେଡି ଦିଲ୍ଲୀରେ ଗର୍ଜିବ । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ବିଶାଳ କୃଷକ ସମାବେଶ କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି, ସ୍ୱାମୀନାଥମ କମିଟି କରିଥିବା ସୁପାରିଶକୁ ଲାଗୁ ପାଇଁ ଚାଷୀ ସମାବେଶରେ ଦାବି କରିବ ବିଜେଡି । ଏଥିସହ ରାଷ୍ଟ୍ରପତିଙ୍କୁ ଭେଟି ଏକ ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ।