ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ମାସରୁ ଟ୍ରାକରେ ଗଡିବ ସମସ୍ତ ଟ୍ରେନ । ଏମିତି ଲାଭ ପାଇବେ ରେଳଯାତ୍ରୀ …..

1,092

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ପ୍ରକୋପ ଏବେ ଧିରେ ଧିରେ କମିବାରେ ଲାଗିଛି । ଏହି କ୍ରମରେ କାରବାର ସମେତ ଅନ୍ୟାନ୍ୟ ଗତିବିଧି ବି ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଲାଣି । ଏହି ସମୟରେ ରେଳଯାତ୍ରୀ ମାନଙ୍କ ପାଇଁ ଏବେ ଏକ ଖୁସି ଖବର ଆସିଛି । ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏପ୍ରିଲ ମାସ ୧ ତାରିଖରୁ ସବୁ ପାସେଞ୍ଜର ଟ୍ରେନ ଚାଲିବ । ଏହା ମଧ୍ୟରେ ଜେନେରାଲ , ଶତାବ୍ଦୀ ଓ ରାଜଧାନୀ ଭଳି ଟ୍ରେନ ବି ସାମିଲ ରହିବ । ଏନେଇ ରେଳ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କୁହାଯାଇଛି ।
ସୂଚନା ମୁତାବକ ଏପ୍ରିଲ ମାସରେ ହୋଲି ପର୍ବ ଥିବାରୁ ରେଳଯାତ୍ରୀଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଯାହାକୁ ନେଇ ରେଳ ବିଭାଗ ଶତ ପ୍ରତିଶତ ରେଳ ଚଳାଇବାକୁ ପ୍ରସ୍ତୁତ ହେଉଛି । କହିରଖୁ କି କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନ ୬୫ ପ୍ରତିଶତ ପାସେଞ୍ଜର ଟ୍ରେନ୍ ଚାଲିଛି ।
କରୋନା ମହାମାରୀର ପ୍ରକୋପକୁ ରୋକିବାକୁ ଦେଶବ୍ୟାପି ଲାଗୁ ହୋଇଥିବା ଲକଡାଉନକୁ ନଜରରେ ରଖି ସବୁ ପାସେଞ୍ଜର ଟ୍ରେନ୍ କୁ ବନ୍ଦ କରାଯାଇଥିଲା । ସେହି ସମୟରେ କେବଳ କୋଭିଡ୍ ସ୍ପେଶାଲ ଟ୍ରେନ ଚଳା ଚଳ କରୁଥିଲା । ଏହାସହ ପାର୍ବଣ ସମୟରେ ବି କିଛି ସ୍ୱତନ୍ତ୍ର ଟ୍ରେନ୍ ଚଳା ଚଳ କରାଇଥିଲା ରେଳ ବିଭାଗ । ହେଲେ ଏବେ କରୋନାର ପ୍ରକୋପ କମିଥିବାରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଚାଳାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । କହିରଖୁ କି ବର୍ତ୍ତମାନ ୩୦୦ ରୁ ଅଧିକ ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ୍ ଟ୍ରାକରେ ଗଡୁଛି ।
ସୂଚନା ଥାଉକି ଏବେ ଯେଉଁ କୋଭିଡ ସ୍ପେଶାଲ ଟ୍ରେନ ଚାଲୁଛି ସେଥିରେ ଯାତ୍ରା କରିବା ପାଇଁ ଯାତ୍ରୀ ମାନଙ୍କୁ ଅଧିକ ଭଡା ଦେବାକୁ ପଡୁଛି । ହେଲେ ସମ୍ପୁର୍ଣ୍ଣ ରେଳ ଚଳା ଚଳ ସ୍ୱାଭାବିକ ହେବା ପରେ କରୋନା ପୂର୍ବରୁ ଯେଭଳି ଭଡା ଥିଲା ତାହା ପୁଣି ଲାଗୁ ହେବ । ଅର୍ଥାତ ଯାତ୍ରୀମାନଙ୍କ ପାଇଁ ଟିକେଟ ଶସ୍ତା ହେବ ।