ବାତ୍ୟା ‘ୟସ୍’ର ମୁକାବିଲା ନେଇ ୩ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡିଶାରେ ବାତ୍ୟାର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ

208

କନକ ବ୍ୟୁରୋ: ବାତ୍ୟା ‘ୟସ୍’ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଛି । ଭିଡିଓ କନଫରେନ୍ସିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡିଶାରେ ‘ୟସ’ ବାତ୍ୟାର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ ଓ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ଏବଂ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ଼ିଶାରେ ଏନଡିଆରଏଫ ଟିମ ପକ୍ଷରୁ ୫୨ଟି ଟିମ୍ ମୁତୟନ କରାଯାଇଛି ବୋଲି ଉଚ୍ଚସ୍ତରୀୟ ବୈଠକ ପରେ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ଅନୁଷ୍ଠିତ ହୋଇଯାଇଥିବା ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥାସମୂହ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ସରକାରଙ୍କ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ । ଏନଡିଏମଏ, ଏନଡିଆରଏଫ, ଭାରତୀୟ ପାଣିପାଗ ବିଭାଗ, ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତୀୟ ତଟରକ୍ଷା ବାହିନୀ, ଭାରତୀୟ ନୌସେନା, ପେଟ୍ରୋଲିୟମ ଏବଂ ଗ୍ୟାସ ମନ୍ତ୍ରଣାଳୟ, ପୂର୍ବତଟର ଉଦ୍ୟୋଗସମୂହ, ବ୍ୟବସାୟ ସଂଘର ପ୍ରତିନିଧି ଯଥା ଏଫସିସିଆଇ ଏବଂ ଆସୋଚାମ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ଼ିଶାରେ ୫୨ଟି ଟିମ୍ ସମେତ ପାଂଚଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳ ପାଇଁ ୯୯ଟି ଟିମ୍ ଏନଡ଼ିଆରଏଫ ଦ୍ୱାରା ମୁତୟନ କରାଯାଇଛି । ବାତ୍ୟା ୟସକୁ ଦୃଷ୍ଟିରେ ରଖି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଯାଜପୁରରେ ଏହି ଟିମ୍ ଗୁଡ଼ିକୁ ନିୟୋଜିତ କରାଯାଇଛି ।