ଖାଲି ରହିବନି ପଶୁଙ୍କ ପେଟ । ଖୋଲା ରହିବ ପଶୁ ଖାଦ୍ୟ ଦୋକାନ ସହ ପଶୁ ଚିକିତ୍ସାଳୟ । ବୁଲା କୁକୁର ଓ ଗୋରୁଙ୍କ ପାଇଁ କାଲି ସରକାର ଦେଇଥିଲେ ୫୪ ଲକ୍ଷ

914

କନକ ବ୍ୟୁରୋ: ପଶୁଙ୍କ ପେଟ କଥା ବୁଝିଲେ ସରକାର । ସଙ୍କଟ ସମୟରେ ମଣିଷଙ୍କ ଭଳି ପଶୁଙ୍କ ଉପରେ ଫୋକସ ଦେଲେ ରାଜ୍ୟ ସରକାର । ଖୋଲା ରହିବ ପଶୁ ଖାଦ୍ୟ ଦୋକାନ । ପଶୁଙ୍କ ଖାଇବା ସାମଗ୍ରୀ ରଖୁଥିବା ସମସ୍ତ ଦୋକାନ ତାଲାବନ୍ଦ ବେଳେ ବି ଖୋଲା ରହିବ । ଏଥିସହ ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ତେବେ ଲକଡାଉନ ସମୟରେ ଦୋକାନ ବଜାର, ହୋଟେଲ, ରେସ୍ତୋରାଁ ଏବଂ ହଷ୍ଟେଲ ଆଦି ବନ୍ଦ ରହୁଥିବାରୁ ବାହାରେ ବୁଲୁଥିବା ପଶୁ, ବୁଲା କୁକୁରଙ୍କ ଖାଇବା ପାଇଁ ୫୪ ଲକ୍ଷ ଟଙ୍କା ଦେଇଥିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ଯୋଗାଇ ଦିଆଯାଇଥିଲା । ତାଲାବନ୍ଦ ପାଇଁ ଖାଇବାକୁ ନପାଇବାରୁ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ବୁଲା କୁକୁର । ଏମିତି କି ଅନେକ କୁକୁର ଖାଦ୍ୟାଭାବ ପାଇଁ ପାଗଳ ହୋଇଯାଉଥିବା ନଜିର ରହିଛି ।

ସେପଟେ ଅନେକ ପଶୁଙ୍କ ପେଟରେ ଖାଦ୍ୟ ପଡୁନଥିବାରୁ ଦିନକୁ ଦିନ ହିଂସ୍ର ହୋଇଯାଉଛନ୍ତି । ତେଣୁ ସେସବୁ ଦୃଷ୍ଟିରୁ ଗତକାଲି ରାଜ୍ୟ ସରକାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ମହାନଗର ସମେତ ୪୮ଟି ମୁନିସିପାଲଟିରେ ବୁଲୁଥିବା ୧ ଲକ୍ଷ ୨୦ ହଜାର କୁକୁର ଏବଂ ପଶୁଙ୍କ ପାଇଁ ଖାଦ୍ୟର ବନ୍ଦୋବସ୍ତ କରିଛନ୍ତି । ଆଉ ଆଜି ସମସ୍ତ ପଶୁ ଖାଦ୍ୟ ଦୋକାନକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।