ଶିମିଳିପାଳ ଜଙ୍ଗଲରେ ନିଆଁ : ଶୋଇ ପଡିଥିଲା ପ୍ରଶାସନ, ଟ୍ୱିଟ୍ କରି ନିଦ ଭାଙ୍ଗିଥିଲେ ଅକ୍ଷିତା । 

371

କନକ ବ୍ୟୁରୋ : ଶିମିଳିପାଳରେ ଲାଗିଥିବା ନିଆଁ ରାଜ୍ୟ ସମେତ ଦେଶବାସୀଙ୍କୁ ମଧ୍ୟ ବିଚଳିତ ଓ ଚିନ୍ତିତ କରିଛି । ତେବେ ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ନିଆଁ ନିୟନ୍ତ୍ରଣାଧୀନ ରହିଛି । କୌଣସି ବନ୍ୟ ଜୀବଜନ୍ତୁଙ୍କ ଜୀବନ ହାନି ହୋଇନାହିଁ । ଯାହା ଅଧିକାଂଶ ଲୋକଙ୍କୁ ଆଶ୍ୱସ୍ତି କରିଛି । ତେବେ ଏହା ସମ୍ଭବ ହୋଇପାରିଛି ମୟୂରଭଞ୍ଜର ରାଜକୁମାରୀ ୨୬ ବର୍ଷୀୟା ଅକ୍ଷିତା ମଞ୍ଜରୀ ଭଞ୍ଜଦେଓଙ୍କ ଲଗାତାର ପ୍ରୟାସ ଯୋଗୁଁ । ଜଣେ ସଚେତନ ନାଗରିକ ଭାବେ ତାଙ୍କର ଦାୟିତ୍ୱବୋଧ ଶିମିଳିପାଳକୁ ଏକ ବଡ ବିପଦରୁ ବଞ୍ଚାଇ ଦେଇଛି । ଗତ ୨୧ ତାରିଖରୁ ଶିମିଳିପାଳ ଜଙ୍ଗଲରୁ ନିଆଁ ଲାଗିଥିଲା । ଅକ୍ଷିତା ଏ ବାବଦରେ ଜାଣିବା ପରେ ସରକାରୀ ବିଭାଗକୁ ଭରସା କରି ୩ ଦିନ ଅପେକ୍ଷା କରି ରହିଲେ ।

ତେବେ ୩ ଦିନ ବିତିବା ପରେ ମଧ୍ୟ କୌଣସି ସରକାରୀ ଅଧିକାରୀଙ୍କ ତତ୍ପରତା ଦେଖିବାକୁ ପାଇନଥିଲେ ଅକ୍ଷିତା । ଆଉ ଗତ ୧ ତାରିଖ ଦିନ ଶିମିଳିପାଳ ଜଳୁଥିବା ନେଇ ଏକ ଟ୍ୱିଟ୍ କରିଥିଲେ ଅକ୍ଷିତା । ଯାହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ଏହି ଗୋଟିଏ ଟ୍ୱିଟ୍ ସରକାରୀ କଳର ନିଦ ଭାଙ୍ଗି ଦେଇଥିଲା । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ନିର୍ଦ୍ଦେଶ ପରେ ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ପୂରା ଦମରେ ଲାଗିପଡିଥିଲା ପ୍ରଶାସନ । କିନ୍ତୁ ଏହାସର୍ତ୍ତେ ମଧ୍ୟ ଏଯାଏଁ ଶିମିଳିପାଳରୁ ନିଆଁ ଲିଭିନି ।

ଅକ୍ଷିତା ହେଉଛନ୍ତି ମୟୂରଭଞ୍ଜ ରାଜବଂଶର ରାଜକୁମାରୀ । ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଂଜଦେଓଙ୍କ ଝିଅ ହେଉଛନ୍ତି ଅକ୍ଷିତା । ବାରିପଦା ବେଲଗଡିଆରେ ରହୁଥିବା ଅକ୍ଷିତା କଲିକତାରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିବା ପରେ ସ୍କଲାରସିପ ପାଇ ପାଠ ପଢିବାକୁ ସିଙ୍ଗାପୁର ଓ ନ୍ୟୁୟର୍କ ଯାଇଥିଲେ । ଏବେ ସେ ୱାଧାୱାନର ଇନଷ୍ଟିଚ୍ୟୁଟ୍ ଫର୍ ଆର୍ଟିଫିସିଆଲ ଇଣ୍ଟେଲିଜେନସ ନାମକ ଏକ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଙ୍ଗଠନରେ କମ୍ୟୁନିକେସନ ଷ୍ଟ୍ରାଟେଜିଷ୍ଟ ଭାବେ କାମ କରୁଛନ୍ତି । ଅକ୍ଷିତାଙ୍କ ଭଳି ବିଶ୍ୱରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଜଗଲ ନିଆଁ ସହ ଯୁଦ୍ଧ କରିଛନ୍ତି । ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା କଥା କିଏ ବା ନ ଜାଣିଛି । ଯେଉଁ ନିଆଁର ଆାଁର ହଜାର ହଜାର ଗଛ ପୋଡି ପାଉଁଶ ହୋଇଯାଇଥିବା ବେଳେ ବନ୍ୟଜନ୍ତୁ ଜଳି ଯାଇଥିଲେ । କିନ୍ତୁ ସେହି ନିଆଁ ସହ ଯେଉଁ କିଛି ମହିଳା ଲଢେଇ କରିଥିଲେ ସେମାନଙ୍କ ମଧ୍ୟରେ କେଟେ ପିଣ୍ଡରଙ୍କ ସହ ଜୋଡି ମେକଗିଲ ଓ ଇଲିଜା କ୍ରେଲାଙ୍କ ନାଁ ସାମ୍ନାକୁ ଆସେ । ସେହିଭଳି ଆମାଜନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବ୍ରୁନା ବିଚାରା ପ୍ରଶାସନ ସହ ମିଶି ନିଜକୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରିଥିଲେ ।

ତେବେ ଶିମିଳିପାଳର ରକ୍ଷାଣବେକ୍ଷଣ ଦାୟିତ୍ୱ କେବଳ ସରକାରଙ୍କର ନୁହେଁ ବରଂ ସାଧାରଣ ଲୋକ ମଧ୍ୟ ଏ ଦିଗରେ ସହଯୋଗର ହାତ ବଢାଇବାର ଆବଶ୍ୟକତା ରହିଛି । ଏପରିକି ଜଙ୍ଗଲ କେବଳ ସରକାରଙ୍କର ନୁହେଁ ବରଂ ଏହା ସାଧାରଣ ଲୋକଙ୍କର ମଧ୍ୟ ଏଭଳି ଏକ ବିଶ୍ୱାସ ଲୋକଙ୍କ ମନରେ ଜନ୍ମାଇବାକୁ ପଡିବ ବୋଲି କହିଛନ୍ତି ଅକ୍ଷିତା ।