କୁନି ଝିଅର ମହାନତା ! କେରଳ ବନ୍ୟା ବିପନ୍ନଙ୍କୁ ଦାନ କଲେ ନିଜ ହାର୍ଟ ସର୍ଜରି ପାଇଁ ସଞ୍ଚିଥିବା ଟଙ୍କା ।

18

କେରଳୀ ବନ୍ୟା ପ୍ରପୀଡ଼ିତଙ୍କୁ ବିଭିନ୍ନ ଆଡୁ ଅନୁଦାନ ମିଳୁଥିବା ବେଳେ ୧୨ ବର୍ଷ ବୟସର କୁନି ଝିଅ ଅକ୍ଷୟାଙ୍କ ଦାନ କିନ୍ତୁ ଚର୍ଚ୍ଚାର ବିଷୟ ପାଲଟିଛି। କେରଳବାସୀ କେଉଁଭଳି ଭାବେ ବନ୍ୟାକୁ ସାମ୍ନା କରି ହଇରାଣ ହେଉଛନ୍ତି ତାହା ଟିଭିରେ ଦେଖିବା ପରେ ଅକ୍ଷୟାଙ୍କ ହୃଦୟ କାନ୍ଦି ଉଠିଥିଲା। ଗତ କିଛି ସପ୍ତାହ ହେବ କେରଳବାସୀ ନାହିଁ ନ ଥିବା ଅଭାବ ଓ ଅସୁବିଧାରେ ରହିଛନ୍ତି।

ଅକ୍ଷୟା ତାମିଲନାଡୁର କରୁଣ ଜିଲ୍ଲାସ୍ଥିତ ଥାନ୍ଥୋନିମାଲାଇ ନିକଟସ୍ଥ କୁମାର ପଲାୟମ୍ ଗ୍ରାମର ବାସିନ୍ଦା। ଏହି ଛୋଟିଆ ଗାଁର ଝିଅ ଅକ୍ଷୟା ନିଜର ମହାନତା ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ସେ ନିଜର ଦ୍ୱିତୀୟ ହୃତପିଣ୍ଡ ଅସ୍ତ୍ରୋପଚାର(ହାର୍ଟ ସର୍ଜିରି) ପାଇଁ ରଖିଥିବା ଅର୍ଥରୁ କିଛି ପରିମାଣ କେରଳ ସରକାରଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ଦେଇଛନ୍ତି।

ନିଜ ସ୍ୱାସ୍ଥ୍ୟବସ୍ଥା ସୁଧାରିବା ପାଇଁ ଯୋଗାଡ଼ କରି ରଖିଥିବା ଟଙ୍କାକୁ ବିନା ଦ୍ୱିଧାରେ ଦାନ କରିବା ସହ ସମାଜ ପାଇଁ ଏକ ଉଦାହରଣ ସାଜିବା ସହ ମାନବିକତାର ଏକ ବିରଳ ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ନିଜର ହାର୍ଟ ସର୍ଜରି କରିବା ପାଇଁ ଘରଘର ବୁଲି ୨୦ ହଜାର ଟଙ୍କା ଯୋଗାଡ଼ କରିଥିଲେ ସେଥିମଧ୍ୟରୁ ସେ ୫,୦୦୦ ଟଙ୍କା ଦାନରେ ଦେଇ ଦେଇଛନ୍ତି। ସେ ଜଣେ ଅଭାବୀ ବିଧବା ମାଆର ଝିଅ, ଯାହାକୁ ପ୍ରତିଦିନ ପେଟ ପୋଷିବା ପାଇଁ ସଂଘର୍ଷ କରିବାକୁ ପଡ଼େ।
ଏ ସଂପର୍କରେ ଅକ୍ଷୟାଙ୍କ ମାଆ କହନ୍ତି, ‘ମୋ ଝିଅ ମୋତେ ପ୍ରଥମେ ଦାନ କରିବା କଥା ପଚାରିଲା। ମୁଁ ତାକୁ କହିଲି କି ଆମେ କିପରି ଦାନ କରିପାରିବା? ଆମେ ଯେଉଁ ଅବସ୍ଥାରେ ଅଛେ ଟଙ୍କା ଦେବା ଆମ ପକ୍ଷେ ସମ୍ଭବ ନୁହେଁ। ମାତ୍ର ସେ ଦେବାକୁ ଚାହୁଁଥିଲା। ଅଳ୍ପ ପରିମାଣର ହେଉ ବରଂ। ଆଉ ସେ ଦେଲା ମଧ୍ୟ।