ଅଖିଳେଶ ଲଢିବେ ବିଧାନସଭା ନିର୍ବାଚନ ! ଆସନ ନେଇ ସ୍ପଷ୍ଟ ହୋଇନି ଚିତ୍ର

84

କନକ ବ୍ୟୁରୋ : ରୋଚକ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲଢିପାରନ୍ତି ବିଧାନସଭା ନିର୍ବାଚନ । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ବିଜେପିକୁ ଟକ୍କର ଦେବାକୁ ଅଖିଳେଶ ବିଧାନସଭା ନିର୍ବାଚନ ଲଢିବାକୁ ସ୍ଥିର କରିସାରିଛନ୍ତି । ଏ ନେଇ କେବଳ ଔପଚାରିକ ଘୋଷଣା ବାକି ରହିଛି । ତେବେ ସେ କେଉଁ ଆସନରୁ ବିଧାନସଭା ନିର୍ବାଚନ ଲଢିବେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଅଖିଳେଶ ଯାଦବ ଏବେ ଆଜମଗଡରୁ ସାଂସଦ ଅଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିସାରିଛନ୍ତି । ତେଣୁ ଅଖିଳେଶ ଯାଦବ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ତେବେ ସେ ଆଜମଗଡ, କନୌଜ କିମ୍ବା ପୂର୍ବାଂଚଳର କୌଣସି ଆସନରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶ ରେ ୪୦୩ ଆସନରେ ସାତଟି ପର୍ଯ୍ୟାୟରେ ଭୋଟ ହେବ । ଏଠାରେ ମୁକାବିଲା ବିଜେପି, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ମଧ୍ୟରେ ହେଉଛି । ତେବେ ମୁଖ୍ୟ ମୁକାବିଲା ବିଜେପି ଓ ଏସପି ମଧ୍ୟରେ ହେଉଛି । ଉଭୟ ଦଳ ଛୋଟ ଛୋଟ ରାଜନୈତିକ ଦଳ ସହ ମେଂଟ କରି ନିର୍ବାଚନ ଲଢୁଛନ୍ତି ।