ଗରିବ ମହିଳା ଭୋଟରଙ୍କ ପାଇଁ ନିର୍ବାଚନୀ କାର୍ଡ ଖେଳିଲେ ସପା ମୁଖ୍ୟ ଅଖିଳେଶ ଯାଦବ, କ୍ଷମତାକୁ ଫେରିଲେ ବାର୍ଷିକ ଦେବେ ଏତେ ଟଙ୍କା

101

କନକ ବ୍ୟୁରୋ : ନିର୍ବାଚନ ଆସିଲେ ନେତାଙ୍କର ମନେପଡେ ଜାତି, ଧର୍ମ, ଗରିବ ଧନୀ, ବେକାରୀ ଓ ମହିଳାଙ୍କ କଥା । କିଏ ମାଗଣାରେ ରାସନ ଯୋଗାଇ ଦେବାକୁ ପ୍ରତିଶୃତି ଦିଏ ତ କିଏ ବର୍ଷକୁ ଲକ୍ଷ ଲକ୍ଷ ଚାକିରୀ ଦେବାକୁ ଭରଶା ଦେଇ ବେକାର ଯୁବକଙ୍କୁ ନିଜ ସପକ୍ଷରେ ଜିନ୍ଦାବାଦ ପକାଇବାକୁ ଫଶାଇ ଦିଏ । କିଏ ମାଗଣା ବିଜୁଳିର ପ୍ରତିଶ୍ରୁତି ତ କେଉଁ ଦଳ ମାଗଣା ପାନୀୟ ଜଳ ଯୋଗାଇ ଦେବାକୁ କଥା ଦେଇଥାଏ । ଏହି କ୍ରମରେ ଏବେ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ନେତାମାନଙ୍କର ମାଗଣା ଯୋଜନାର ପ୍ରତିଶୃତି ସବୁ ଦେଖିବାକୁ ମିଳିଛି । ୫ ଟି ରାଜ୍ୟ ମଧ୍ୟରୁ ସବୁଠାରୁ ଅଧିକ ଫୋକସରେ ରହିଛି ଉତ୍ତର ପ୍ରଦେଶ ।

ଏଠାରେ ବିଜେପିର ସରକାର ଥିବା ବେଳେ ଏହାକୁ ବେଦଖଲ କରି ପୁଣି ସମାଜବାଦୀ ପାର୍ଟି କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଛି । ସପା ମୁଖ୍ୟ ଅଖିଳେଶ ଯାଦବ ଏନେଇ ରାଜ୍ୟରେ ଗୋଟିଏ ପରେ ଗୋଟିଏ ମାଗଣା ଯୋଜନାମାନ ଘୋଷଣା କରିବାରେ ଲାଗିଛନ୍ତି । ପ୍ରଥମେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବାର ପ୍ରତିଶୃତି ଦେଇଥିବା ସମାଜବାଦୀ ପାର୍ଟି ଆଜି ପୁଣି ଗରିବ ମହିଳାମାନଙ୍କ ପାଇଁ ଏକ ପେନସନ ଯୋଜନାର ପ୍ରତିଶୃତି ଦେଇଛନ୍ତି । ଏକ ଜନସଭାରେ ଅଖିଳେଶ କହିଛନ୍ତି କି ଯଦି ତାଙ୍କ ଦଳ ୟୁପିରେ ସରକାର ଗଠନ କରେ ତେବେ ସେ ରାଜ୍ୟର ପ୍ରତିଟି ଗରିବ ମହିଳାମାନଙ୍କୁ ବାର୍ଷିକ ୧୮ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ । ଏହାକୁ ସେ ସମାଜବାଦୀ ପେନସନ ଯୋଜନା ନାମରେ ନାମିତ କରିଛନ୍ତି ।

ଅନ୍ୟପଟେ ପ୍ରଥମଥର ଅଖିଳେଶ ଯାଦବ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏନେଇ ଗଣମାଧ୍ୟମର ପ୍ରଶ୍ନରେ ଉତ୍ତର ଦେଇ ଅଖିଳେଶ କହିଛନ୍ତି କି,ଆଜମଗଡର ଲୋକ ଅନୁମତି ଦେଲେ ସେ ବିଧାନସଭା ନିର୍ବାଚନ ଲଢିବେ । ଅନ୍ୟପଟେ ନିଜର ଭାଇବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେବାକୁ ନେଇ ସେ କହିଛନ୍ତି କି ଏବେ ବି ବିଜେପିର ଅନେକ ବିଧାୟକ ଓ ମନ୍ତ୍ରୀ ତାଙ୍କ ସଂପର୍କରେ ରହିଛନ୍ତି । ବାକି ସମୟ କହିବ ବୋଲି ସେ କହିଛନ୍ତି ।