କନକ ବ୍ୟୁରୋ: ଲୋକସଭା ନିର୍ବାଚନ ସରିଛି, ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଆଉ ଏହା ଭିତରେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ବଡ ଧରଣର ହଲଚଲ । ଅଜିତ ପାୱାରଙ୍କ ଗୋଷ୍ଠୀର କିଛି ବିଧାୟକ ଘର ବାହୁଡା ପାଇଁ ଚିନ୍ତା କରୁଥିବା ଖବର ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । କୁହାଯାଉଛି ଅଜିତ ପାୱାରଙ୍କ ଗୋଷ୍ଠୀରେ ଥିବା ୧୮ରୁ ୧୯ଜଣ ବିଧାୟକ ଶରଦ ପାୱାର ଗୋଷ୍ଠୀକୁ ଫେରିପାରନ୍ତି । ଏହି ବିଧାୟକମାନେ ଏବେ ଶରଦ ପାଓ୍ୱାରଙ୍କ ଗୋଷ୍ଠୀ ସହ ସମ୍ପର୍କରେ ଥିବାବେଳେ, ଖୁବଶୀଘ୍ର ଦଳ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Advertisment

ଜାଣିରଖିବା ଉଚିତ୍ ଯେ, ଏନସିପି (ଅଜିତ୍ ପାଓ୍ୱାର ଗୋଷ୍ଠୀ)ରେ ବର୍ତ୍ତମାନ ୪୦ଜଣ ବିଧାୟକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୮ରୁ ୧୯ ଜଣ ବିଧାୟକ ଶରଦ ଗୋଷ୍ଠୀ ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି । ଖାସ୍ କରି, ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ, ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ, ରୋହିତ ପାୱାରଙ୍କ ସହ ଏହି ବିଧାୟକମାନେ ସର୍ମ୍ପକରେ ଥିବା କୁହାଯାଉଛି । ତେବେ ଯଦି ଏହି ଦାବି ସତ ହୁଏ, ତେବେ ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ପଟ୍ଟ ପରିବର୍ତ୍ତନ ହେଇପାରେ ।

ସୂଚନାଯୋଗ୍ୟ ଯେ, ଏଥର ଲୋକସଭା ନିର୍ବାଚନରେ ମଧ୍ୟ ଅଜିତ ପାଓ୍ୱାରଙ୍କ ଏନସିପି ସେତେଟା ଖାସ୍ ପ୍ରଦର୍ଶନ କରିପାରିନି । ଦଳ ଲୋକସଭା ନିର୍ବାଚନରେ କେବଳ ଗୋଟିଏ ଆସନ ଜିତିପାରିଛି । ଅନ୍ୟପଟେ ମହାରାଷ୍ଟ୍ରରେ ଏନଡିଏ ମେଣ୍ଟ ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରିପାରିନି । ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ଏନଡିଏ କେବଳ ୧୭ଟି ଆସନରେ ବାଜିମାତ୍ କରିପାରିଛି । ଅନ୍ୟପଟେ ସମସ୍ତଙ୍କୁ ଚମକାଇ ଇଣ୍ଡିଆ ମେଣ୍ଟ ଏଠାରେ ୩୦ ଆସନ ହାତେଇଛି । ତେଣୁ ଏଭଳି ପରିସ୍ଥିତିରେ ଯଦି ଏନସିପି (ଅଜିତ୍ ପାଓ୍ୱାର ଗୋଷ୍ଠୀ)ର ବିଧାୟକ ପଟ୍ଟ ପରିବର୍ତ୍ତନ କରନ୍ତି, ତେବେ ମହାରାଷ୍ଟ୍ର ରାଜନୀତି ନୂଆ ମୋଡ ନେଇପାରେ ।