କନକ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ମହାରାଷ୍ଟ୍ର ରାଜନୀତି । ଏନସିପି ନେତା ତଥା ମହାରାଷ୍ଟ୍ର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଭିତରେ, ,ସେ ନିଜେ ଏନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସେ ଏନସିପିରେ ଅଛନ୍ତି ଆଉ ରହିବେ ମଧ୍ୟ । ଏନସିପି ଯାହା ବି ନିଷ୍ପତ୍ତି ନେବ, ମୁଁ ସେଇଠି ରହିବି ବୋଲି ଗଣମାଧ୍ୟମକୁ କହିଛନ୍ତି ଅଜିତ ପାୱାର ।

Advertisment

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସା କରିଦେଇଥିଲେ ଅଜିତ୍ ପାୱାର । ଖାଲି ସେତିକି ନୁହେଁ, ଇଭିଏମ୍ ଉପରେ ମଧ୍ୟ ଭରସା ରଖିଥିବା କହିଥିଲେ । ତା ସହିତ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ସୁଧୀର ମୁନଗଣ୍ଟିବାର ମଧ୍ୟ ଏନସିପିକୁ ଏନଡିଏ ସହ ମିଶିବାକୁ ନିମନ୍ତ୍ରଣ ଦେଇଦେଇଥିଲେ । ଯାହା ପରେ ଚର୍ଚ୍ଚା ହେଉଥିଲା, ଖୁବଶୀଘ୍ର ଏନସିପି ଛାଡି ବିଜେପିରେ ସାମିଲ ହୋଇପାରନ୍ତି ଅଜିତ୍ ପାୱାର । ନିଜ ପକ୍ଷରେ ଥିବା ବିଧାୟକଙ୍କୁ ନେଇ ସେ ସିନେ୍ଧ ସରକାରରେ ସାମିଲ ହୋଇପାରନ୍ତି ବୋଲି କଥା ଉଠିଥିଲା । ହେଲେ ଆଜି ସେହି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।

କୁହାଯାଉଥିଲା ଅଜିତ୍ ପାୱାର ଏନସିପିର ୫୩ ବିଧାୟକଙ୍କ ମଧ୍ୟରୁ ୩୦ରୁ ୩୪ ବିଧାୟକଙ୍କୁ ନେଇ ଏନଡିଏ ମେଣ୍ଟରେ ସାମିଲ ହୋଇପାରନ୍ତି । ତାଙ୍କୁ ପ୍ରଫୁଲ ପଟେଲ, ସୁନୀଲ ତଟକରେ, ଛଗନ ଭୁଜବଳଙ୍କ ଭଳି ଏନସିପି ନେତାଙ୍କ ସମର୍ଥନ ମଧ୍ୟ ରହିଛି । ହେଲେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କିନ୍ତୁ, ଅଜିତଙ୍କ ଗୋଷ୍ଠୀ ଖୁବଶୀଘ୍ର ଏନଡିଏ ମେଣ୍ଟରେ ସାମିଲ ହୋଇପାରନ୍ତି । ଭାଜପା ସହ ମେଣ୍ଟ କରିବାକୁ ଏହି ଗୋଷ୍ଠୀ ଆଗ୍ରହୀ ଥିବାବେଳେ, ବିଜେପି-ସିନେ୍ଧ ଗୋଷ୍ଠୀ ମଧ୍ୟ ଏନସିପି ଗୋଷ୍ଠୀଙ୍କୁ ନିଜ ପକ୍ଷକୁ ନେବାକୁ ହଁ ଭରିସାରିଛି ।

ଅନ୍ୟପଟେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି କିଛି ଲୋକ କେବଳ ଖବର କରୁଛନ୍ତି । ହେଲେ ଏହି କଥାର କୌଣସି ଅର୍ଥ ନାହିଁ । ଯେଉଁ ଚର୍ଚ୍ଚା ତାଙ୍କ ମନରେ ଅଛି, ସେହି ଚର୍ଚ୍ଚା ଅନ୍ୟ ଲୋକଙ୍କ ଭିତରେ ନାହିଁ । ତେଣୁ ଏହାର କୌଣସି ମହତ୍ତ୍ୱ ନାହିଁ । ବିଧାୟକଙ୍କ ବୈଠକ ହେବା କଥାକୁ ମଧ୍ୟ ମିଛ ବୋଲି କହିଛନ୍ତି ଶରଦ । ଅନ୍ୟପଟେ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ ମଧ୍ୟ ଏହି ଖବର ମିଛ ବୋଲି କହିଛନ୍ତି ।