ଦେଶରେ ମହଙ୍ଗା ହୋଇପାରେ ବିମାନଯାତ୍ରା । ଘରୋଇ ବିମାନ ଯାତ୍ରା ୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ସମ୍ଭାବନା ।

94

କନକ ବ୍ୟୁରୋ: ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି । ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ ବୃଦ୍ଧି କରିଛନ୍ତି । ସର୍ବନିମ୍ନ ଭଡ଼ା ୧୦ ପ୍ରତିଶତ ଓ ସର୍ବୋଚ୍ଚ ଭଡ଼ା ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ଫଳରେ ଘରୋଇ ବିମାନ ଯାତ୍ରା ୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ସମ୍ଭାବନା ରହିଛି ।

ଗତ ବର୍ଷ ମେ ମାସରେ ବିମାନ ଚଳାଚଳ ଉପରେ ଲାଗୁ କଟକଣା ସାମାନ୍ୟ କୋହଳ କରାଯିବା ପରେ ଡିଜିସିଏ ପକ୍ଷରୁ  ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡକୁ ହ୍ରାସ କରିଥିଲେ । ଏହାର ଅର୍ଥ ହେଉଛି ବିମାନ କମ୍ପାନିମାନେ ନିର୍ଦ୍ଦିଷ୍ଟ ଅବଧିର ଯାତ୍ରା ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ମୂଲ୍ୟର ଭଡ଼ା ଆଦାୟ କରିପାରିବେ ନାହିଁ । କଟକଣା କୋହଳ ପରେ ଅଳ୍ପ ବିମାନ ଚଳାଚଳ କରୁଥିବାରୁ କମ୍ପାନିମାନେ ଯେପରି ଅଧିକ ଭଡ଼ା ଲାଗୁ ନକରନ୍ତି ସେଥିପାଇଁ ଏହି ନିୟମ ଲାଗୁ କରାଯାଇଥିଲା ।

ଏବେ କିନ୍ତୁ ଘରୋଇ କ୍ଷେତ୍ରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିବାରୁ ସରକାର ପୁଣି ବିମାନ ଭଡ଼ାର ପ୍ରାଇସ ବ୍ୟାଣ୍ଡ୍ ବଢାଇ ତାହାକୁ ଲକଡାଉନ ପୂର୍ବ ସ୍ତରକୁ ନେଇଯାଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ବିମାନ କମ୍ପାନି ଲାଭରେ ରହିବେ କିନ୍ତୁ ଯାତ୍ରୀମାନଙ୍କୁ ଅଧିକ ଭଡ଼ା ଦେବାକୁ ପଡ଼ିବ । କେତେକ କ୍ଷେତ୍ରରେ ବିମାନ ଭଡ଼ା ୫୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।