ପାକିସ୍ତାନ ପଟୁ ଯେ କୌଣସି ଆକ୍ରମଣର ମୁକାବିଲା ପାଇଁ ସବୁଦିଗରୁ ପ୍ରସ୍ତୁତ : ଘୋଷଣା କଲା ଭାରତୀୟ ବାୟୁସେନା

159

କନକ ବ୍ୟୁରୋ : ପାକିସ୍ତାନର ଆକ୍ରମଣ କଲେ କଡ଼ା ଜବାବ ଦେବ ଭାରତୀୟ ବାୟୁସେନା । ପାକିସ୍ତାନ ପଟୁ ଯେ କୌଣସି ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ବାୟୁସେନା ସବୁଦିଗରୁ ପ୍ରସ୍ତୁତ । ଗତକାଲି ବାୟୁସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଏଥିରୁ ଭାରତ-ପାକ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବେ ବି କାଏମ ରହିଥିବା ସ୍ପଷ୍ଟ ହୋଇଯାଇଛି । ପାକିସ୍ତାନ ଏବେ ବି ଭାରତ-ପାକ୍ ବାୟୁସୀମାର ୧୧ଟି ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ୍ କରି ରଖିଛି ।

ତେବେ ପାକିସ୍ତାନ ଭାରତରେ ବିମାନ ଆକ୍ରମଣ କରିବା ପାଇଁ ପ୍ରୟାସ କଲେ ଏହାକୁ ପଣ୍ଡ କରି ଉଚିତ ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ସର୍ବାଧିକ ସତର୍କ ରହିଛି ବୋଲି କୁହାଯାଇଛି । ଭାରତୀୟ ବାୟୁସେନାର ସମସ୍ତ ଘାଟି, ବିଶେଷ କରି ପଶ୍ଚିମ ସୀମାରେ ଥିବା ଘାଟିଗୁଡ଼ିକୁ ଯେ କୌଣସି ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି ।

ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ଭାରତର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରିବା ପାଇଁ ପ୍ରୟାସ କରିଥିଲା, କିନ୍ତୁ ବାୟୁସେନା ଏହାକୁ ବିଫଳ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନରେ ଜୈସ୍‌ ଆତଙ୍କବାଦୀ ସଂଗଠନର ଆଡ଼ାରେ ଭାରତର ବୋମାମାଡ଼ ପରେ ପାକିସ୍ତାନ ଉପରେ ଏବେ ପ୍ରବଳ ଅନ୍ତର୍ଜାତୀୟ ଚାପ ରହିଛି । ପାକିସ୍ତାନ ଭାରତ ବିରୋଧରେ ଏଫ୍‌ ୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ପ୍ରମାଣ ମିଳିଥିବାରୁ ଆମେରିକା ଏହାର ତଦନ୍ତ ଆରମ୍ଭ କରିଛି ।