ବିକ୍ଷୋଭକାରୀଙ୍କୁ ସତର୍କ କରାଇଲେ ଏୟାର ଚିଫ୍ ମାର୍ଶଲ। କହିଲେ, ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ ନଦେଲେ ମିଳିବନି ନିଯୁକ୍ତି। 

511

କନକ ବ୍ୟୁରୋ :  କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ସରକାର ବିରୋଧୀ ପ୍ରଦର୍ଶନ ଛାତ୍ରଙ୍କୁ ମହଙ୍ଗା ପଡିପାରେ । ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ବିକ୍ଷୋଭ କରୁଥିବା ପ୍ରତିବାଦକାରୀଙ୍କୁ ସତର୍କ କରାଇଛନ୍ତି ଏୟାର ଚିଫ୍ ମାର୍ଶଲ ବି. ଆର ଚୌଧୁରୀ । କହିଛନ୍ତି ହିଂସାତ୍ମକ ପ୍ରଦର୍ଶନରେ ସାମିଲ ଆଶାୟୀଙ୍କୁ ପରବର୍ତ୍ତୀ ସମୟରେ ଏହାର ବଡ ମୂଲ୍ୟ ଦେବାକୁ ପଡିପାରେ । କାରଣ ଆଗକୁ ପୁଲିସର କ୍ଲିୟରାନ୍ସ ସାର୍ଟିଫିକେଟ୍ ନ ମିଳିଲେ, ଚାକିରୀ ମିଳିବ ନାହିଁ । ଏଥିସହ ଏୟାର ଚିଫ୍ ମାର୍ଶଲ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଏଭଳି ହିଂସାତ୍ମକ ପ୍ରଦର୍ଶନ ହେବ ବୋଲି ଆଶା କରିନଥିଲେ । ଏଭଳି ହିଂସ୍ର ପ୍ରଦର୍ଶନକୁ ସେ ନିନ୍ଦା କରିଛନ୍ତି । ଏହାଛଡା ବିକ୍ଷୋଭ ନାଁରେ ହିଂସା ଛାଡି, ଯୋଜନାକୁ ବୁଝିବା ପାଇଁ ପ୍ରତିବାଦକାରୀ ଛାତ୍ରଙ୍କୁ ଅପିଲ କରିଛନ୍ତି ବାୟୁସେନା ମୁଖ୍ୟ ।

ଯଦି ପ୍ରଦର୍ଶନକାରୀ ଛାତ୍ର ଯୋଜନା ବାବଦରେ ଅଧିକ ତଥ୍ୟ ସଂଗ୍ରହ କଲେ ଯୋଜନାର ଲାଭ ଠିକରେ ବୁଝିପାରିବେ । ସେହିପରି ପାରାମିଲିଟାରୀ ଫୋର୍ସ ଓ ଆସମ ରାଇଫଲସରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଏକ ସକରାତ୍ମକ ପଦକ୍ଷେପ । ଚାରି ବର୍ଷ ପରେ ଅଗ୍ନିବୀରଙ୍କ ପାଇଁ ଏହା ବଡ ଆଶ୍ୱସ୍ତି । ଅଗ୍ନିପଥ ଯୋଜନାକୁ ନେଇ ବି ଆର ଚୌଧୁରୀ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଯୁଦ୍ଧ କ୍ଷେତ୍ର ବଦଳୁଛି, ସେନାରେ ଯୁବକ ଓ ବୈଷୟିକ ଜ୍ଞାନକୌଶଳ ସହ ଅଧିକ ପରିଚିତ ଲୋକଙ୍କୁ ଆବଶ୍ୟକତା ରହିଛି । ବିଶେଷ ଭାବେ ବାୟୁସେନାରେ ବୈଷୟିକ ଜ୍ଞାନକୌଶଳରେ ନିପୁଣ ଯୋଗ୍ୟ ବ୍ୟକ୍ତିଙ୍କୁ ବାଛିବାର ଲାଭ ମିଳିବ ବୋଲି କହିଛନ୍ତି ଏୟାର ଚିଫ ମାର୍ଶଲ ।