ଭୁବନେଶ୍ୱର ଏମ୍ସର ଅବସ୍ଥା ଏମିତି ! ୨୬୧ କୋଟିର ପ୍ରକଳ୍ପ, ୫ ବର୍ଷରେ ଫାଟି ଆଁ କଲାଣି । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ସହ ଛଡାଇ ନେଲେ ମୋବାଇଲ

30

କନକ ବ୍ୟୁରୋ : ପ୍ରଥମ ସମାବର୍ତନ ଉତ୍ସବ ପୂର୍ବରୁ, ଭୁବନେଶ୍ୱର ଏମ୍ସକୁ ଉପ-ରାଷ୍ଟ୍ରପତି ଆସିବା ପୂର୍ବରୁ କିଛି ଏଭଳି ଘଟଣା ଘଟିଛି, ଯାହା ଦେଶର ଏକ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିବାଦ ଘେରକୁ ଟାଣି ଆଣିଛି । ମାତ୍ର ୫ ବର୍ଷ ଭିତରେ ଭୁବନେଶ୍ୱର ଏମ୍ସର ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କରିଛି । ଆଉ କିଛି ସ୍ଥାନରେ ସିଲିଂ ଖସିବାରେ ଲାଗିଛି । ସ୍ଥିତି ଏଭଳି ହୋଇଛି ଯେ, ରୋଗୀ ଏବଂ ଡାକ୍ତରଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ଆଉ ଯେତେବେଳେ ଘଟଣା ପ୍ରଘଟ ହୋଇଛି ସଫେଇ ଦେବାକୁ ବାହାରି ଆସିଛନ୍ତି ଏମ୍ସ କର୍ତୃପକ୍ଷ ।

ଆଁ କରିଥିବା କାନ୍ଥ ଏବଂ ମୁକୁଳା ପଡିଥିବା ସିଲିଂ, ଦେଶର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ଏମ୍ସର ଏଭଳି ଚିତ୍ର ଦେଖିଲେ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । କାରଣ ଏହା ସହିତ ଜଡିତ ରହିଛି ହଜାର ହଜାର ରୋଗୀଙ୍କ ଭାଗ୍ୟ ଏବଂ ଏମ୍ସରେ କାମ କରୁଥିବା ଡାକ୍ତରଙ୍କ ସୁରକ୍ଷାର କଥା । ଆଉ ଯେତେବେଳେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯାଏ, ସେଠାରେ ସାମ୍ବାଦିକଙ୍କୁ ଆକ୍ରମଣର ସାମ୍ନା କରିବାକୁ ପଡେ ।ଦୋଷ ଦୁର୍ବଳତାକୁ ଘଂଟ ଘୋଡାଇବା ପାଇଁ ଯେଉଁ ସ୍ତରକୁ ଏକ ମର୍ଯ୍ୟାଦ ସମ୍ପନ୍ନ ଅନୁଷ୍ଠାନ ଯାଇପାରେ, ତାହାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ ମୋବାଇଲ ଛଡାଇ ନେବା ଭଳି ଧୃଷ୍ଟତା କରିବାକୁ ପଛାଇ ନାହାଁନ୍ତି ସୁରକ୍ଷା କର୍ମଚାରୀ । ତେବେ ଏଠି ପ୍ରଶ୍ନ ଉଠୁଛି ଏପରି କରିବା ପାଇଁ ସେମାନଙ୍କୁ କିଏ ଦେଇଥିଲା ନିର୍ଦ୍ଦେଶ ।

aiims attackଶୁକ୍ରବାର ଟିକେଟ୍ କାଉଁଟର ପାଖରେ ସିଲିଂ ଖସିବା ଘଟଣା କାହାକୁ ଅଛପା ନାହିଁ, କାନ୍ଥ ଗୁଡିକ ଫାଟି ଆଁ କରିଛି ତାହା ଜଳ ଜଳ ହୋଇ ଦେଖାଯାଉଛି । ଟ୍ରମା ୱାର୍ଡରେ ସ୍ଥିତି ଏଭଳି ହୋଇଛି ଯେ, ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ୨୬୧ କୋଟିର ପ୍ରକଳ୍ପ, ମାତ୍ର ୫ ବର୍ଷ ଭିତରେ ଯଦି ଏଭଳି ବିପଦଜନକ ସ୍ଥିତିକୁ ଆସିବ ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ । ସବୁଠୁ ଅଧିକ ଆଶ୍ଚର୍ଯ୍ୟ ହେଉଛି, ନିର୍ମାଣଧିନ କୋଠାରେ ଫାଟ ସୃଷ୍ଟି ହେଲେ, ତା’ର ଉତରଦାୟିତ୍ୱ ନେବ ନିର୍ମାଣକାରୀ ସଂସ୍ଥା । ତେବେ ତାଙ୍କୁ ଘଂଟ ଘୋଡାଇବାକୁ କାହିଁକି ଉଦ୍ୟମ କରୁଛି ଏମ୍ସ । ଏତେ ଦିନ ଯାଏଁ ପାଟି ଖୋଲୁନଥିବା ଏମ୍ସ କର୍ତୃପକ୍ଷ, ଆଜି ଯେତେବେଳେ ଘଟଣା ପ୍ରଘଟ ହୋଇଛି, ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେବାକୁ ବାହାରି ଆସିଛନ୍ତି । କହିଛନ୍ତି- ଆଇଆଇଟି ଏବଂ ସିପିଡବ୍ଲୁଡିର ଏକ ଟିମ୍ ଆସି ଘଟଣାର ଅନୁଧ୍ୟାନ କରିବ ।

ହେଲେ ଏଠି ପ୍ରଶ୍ନ ଉଠୁଛି- ଏତେ ଦିନଯାଏଁ ଏମ୍ସ କର୍ତୃପକ୍ଷ କରୁଥିଲେ କ’ଣ?
– ନିର୍ମାଣକାରୀ ସଂସ୍ଥା ପ୍ରତି ଏତେ ଦରଦ କାର୍ହିକି?
– ଗଣମାଧ୍ୟମ ପ୍ରତିନିଧିକୁ ଆକ୍ରମଣ କରିବା ପାଇଁ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଦ୍ଦେଶ ଦେଲା କିଏ ?
ଏସବୁ ରହସ୍ୟ ଭିତରେ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏମ୍ସର ପ୍ରଥମ ସମାବର୍ତନ ଉତ୍ସବ । ଏମ୍ବିବିଏସ୍ ଏବଂ ନସିଂ ପାଠ୍ୟକ୍ରମରେ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଆଉ ଏମ୍ସକୁ ଆସୁଛନ୍ତି ଦେଶର ଉପରାଷ୍ଟ୍ରପତି । ଏଭଳି ଏକ ସମୟରେ ଏମ୍ସରେ ଘଟୁଥିବା ଘଟଣା ନିଶ୍ଚିତ ଭାବରେ ଓଡ଼ିଶା ଲୋକଙ୍କୁ ବିବ୍ରତ କରିଛି ।