ଭୁବନେଶ୍ୱର ଏମ୍ସରେ ପ୍ରଥମ : ସଫଳ ହେଲା କିଡନୀ ପ୍ରତିରୋପଣ; ପୁଅକୁ ଅଙ୍ଗ ଦାନ କଲେ ବାପା

195

କନକ ବ୍ୟୁରୋ : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ର ପାଲଟିଥିବା ଏମ୍ସ ଭୁବନେଶ୍ୱରରେ ସଫଳତାର ସହ ଯକୃତ ବା କିଡନୀ ପ୍ରତିରୋପଣ ସଫଳ ହୋଇଛି । ଏହା ଏମ୍ସର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲ ଖୁଣ୍ଟ ଯୋଡିଛି । ଜଣେ ୨୦ ବର୍ଷିୟ ଇଞ୍ଜିନିୟର ଛାତ୍ରଙ୍କ ଠାରେ ସଫଳତାର ସହ କିଡନୀ ପ୍ରତିରୋପଣ ହୋଇଥିଲା । ଅସୁସ୍ଥ ପୁଅଙ୍କୁ ତାଙ୍କର ୫୦ ବର୍ଷିୟ ବାପା କିଡନୀ ଦାନ କରିଥିଲେ । ପ୍ରତିରୋପଣ ପରେ ଏବେ ଉଭୟ ପିତା ପୁତ୍ର ସୁସ୍ଥ ଥିବା ଜଣାପଡିଛି । କିଡନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ଓ ୭ ଦିନ ପରେ ପୁଅକୁ ହସ୍ପିଟାଲରୁ ଡିସଚାର୍ଯ କରାଯାଇଥିଲା । ଯୁବକଙ୍କ ପରିସ୍ରା, ରକ୍ତ, କ୍ରିଏଟିନ ସ୍ତର ଠିକ୍ ରହିଛି ।

ଖୁବଶୀଘ୍ର ଛାତ୍ର ଜଣକ କଲେଜ ଯିବା ସହ ସ୍ୱାଭାବିକ ଜୀବନ ବଞ୍ଚି ପାରିବେ ବୋଲି ଡାକ୍ତରୀ ଦଳ କହିଛନ୍ତି । ଏଥିସହ ଏମସରେ ଯକୃତ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ । ଯାହା ରାଜ୍ୟର ଗରିବ କିଡନୀ ରୋଗୀଙ୍କୁ ଆଶ୍ୱସ୍ତି ଆଣିଦେଇଛି । କଟକ ଏସସିବି ପରେ ସରକାରୀ ଡାକ୍ତରଖାନା ଭାବେ ଏବେ ଏମ୍ସରେ ସଫଳତାର ସହ କିଡନୀ ପ୍ରତିରୋପଣ ହୋଇପାରୁଛି । ଏସସିବିରେ ଡାକ୍ତର ସଙ୍କଟ ଯୋଗଁ ବହୁ ରୋଗୀ ଘରୋଇ ମେଡିକାଲରେ କିଡନୀ ପ୍ରତିରୋପଣ କରାଇ ପ୍ରାୟ ୭ରୁ ୮ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଏମ୍ସରେ କିଡନୀ ପ୍ରତିରୋପଣ ବାବଦକୁ ଘରୋଇ ଡାକ୍ତରଖାନାରୁ ଅଧାରୁ କମ ଖର୍ଚ୍ଚ ହେଉଛି । ତେଣୁ ଗରିବ କିଡନୀ ରୋଗୀଙ୍କୁ ଆଶ୍ୱସ୍ତି ମିଳିଛି ।