ରୋଗୀଙ୍କ ଦୁଃଖ ଦୂର କରିବା ପରିବର୍ତେ ବଢ଼ାଇଲେ ଏମ୍ସ କର୍ତୃପକ୍ଷ। ପୂର୍ବରୁ ବାରଣ୍ଡାରେ ମଶାରୀ ଟାଙ୍ଗି ଶୋଇ ପଡୁଥିଲେ ରୋଗୀ ଓ ସମ୍ପର୍କୀୟ।

167

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ନିକଟ ରାସ୍ତା କଡ଼ର ଦୃଶ୍ୟ ବଦଳିନାହିଁ । ଦୂର ଦୂରାନ୍ତରୁ ଚିକିତ୍ସା ଆଶାରେ ଧାଇଁ ଆସିଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଦିନ ଓ ରାତି କଟୁଛି ଏହି ରାସ୍ତା କଡ଼ରେ । କାରଣ ରହିବା ପାଇଁ ଏମ୍ସ ପକ୍ଷରୁ କୌଣସି ସୁବିଧା ନାହିଁ । ପୂର୍ବରୁ ଏମ୍ସ ଭିତର ବାରଣ୍ଡାରେ ମଶାରୀ ଟାଙ୍ଗି ରୋଗୀ ଓ ସମ୍ପର୍କୀୟ ଶୋଇଯାଉଥିଲେ । ହେଲେ ଏନେଇ ଖବର ପ୍ରସାରଣ ପରେ ଏମ୍ସ କର୍ତୃପକ୍ଷ ଆହୁରି କଠୋର ହୋଇପଡ଼ିଛନ୍ତି । ଏବେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କଙ୍କୁ ଏମ୍ସ ଭିତର ବାରଣ୍ଡାରେ ଶୋଇବାକୁ ଅନୁମତି ନାହିଁ । ତେଣୁ ଏମାନେ ଆଉ କୁଆଡ଼େ ଯିବେ । ଭାଗ୍ୟକୁ ଆଦରି ରାସ୍ତାକଡ଼ରେ ପଡ଼ି ରହିଛନ୍ତି । ଦିନେ କି ଦୁଇଦିନ ନୁହେଁ, କେହି କେହି ଏମିତି ରାସ୍ତା କଡ଼ରେ ଖୋଲା ଆକାଶ ତଳେ ୧୦ରୁ ୧୫ ଦିନ କାଟିସାରିଲେଣି ।

ଏମ୍ସ ପରିସରରେ ରୋଗୀ ଓ ସମ୍ପର୍କୀୟ ରହିବା ପାଇଁ ଏକ ବିଶାଳ ଧର୍ମଶାଳା ନିର୍ମାଣ ହୋଇଛି । ଏଥିରେ ୫ ଶହ ଜଣ ରହିପାରିବେ । ହେଲେ କେବେ ଏହି ଧର୍ମଶାଳା କାର୍ଯ୍ୟକ୍ଷମ ହେବ ଜଣାପଡ଼ୁନାହିଁ । ଆମେ ଏମ୍ସ କର୍ତୃପକ୍ଷଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, ହେଲେ ସେମାନେ କିଛି କହିବାକୁ ନାରାଜ । ନିଜ ରୋଗର ଉପଶମ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ରୋଗୀ ଭରସା କରି ଏମ୍ସକୁ ଆସନ୍ତି । ହେଲେ ଏଠାକୁ ଆସିଲା ପରେ ସେମାନେ କଷ୍ଟକର ସ୍ଥିତିର ସାମ୍ନାକୁ କରୁଛନ୍ତି । କେତେବେଳେ ଦଲାଲ ରାଜ ତ ପୁଣି ରହିବାକୁ ଅସୁବିଧା? ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି ।