ଆସନ୍ତା ୨୫ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କଟକ ବାଲିଯାତ୍ରା ପଡ଼ିଆରେ ବିଶାଳ ଜନସମାବେଶରେ କରିବେ ସମ୍ବୋଧିତ ।

183

କନକ ବ୍ୟୁରୋ: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଦିନ ୧୦ଟାରେ ବୁଦ୍ଧିଜୀବିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନରେ କଟକ ବାଲିଯାତ୍ରା ପଡ଼ିଆରେ ବିଶାଳ ଜନସମାବେଶରେ ଦେବେ ଉଦବୋଧନ ଦେବେ ରାହୁଲ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ରାହୁଲଙ୍କ ଗସ୍ତ ନେଇ କଂଗ୍ରେସ ଅଧ୍ୟକ୍ଷ ଭାର ସମ୍ଭାଳିବା ପରେ ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏହାକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ ରହିଛି ।

୩ରାଜ୍ୟରେ ବିଜେପିକୁ ଚିତ୍ ପଟାଙ୍ଗ କରି ସରକାର ଗଢ଼ିବା ପରେ ଓଡ଼ିଶା ଉପରେ ରାହୁଲଙ୍କ ନଜର । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମାରାଥନ୍ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଯାହାକୁ ନେଇ ରାଜ୍ୟ ରାଜ୍ୟନୀତିର ପାରଦ ଶିଖକୁ ପହଁଚିବାରେ ଲାଗିଛି । ତେବେ ରାହୁୁଲ ଗାନ୍ଧି ଆସନ୍ତା ୨୫ ତାରିଖ ଓଡିଶା ଗସ୍ତ ସାରିବା ପରେ ପୁଣି ଦୁଇ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ସୂଚନା ମୁତବାକ ଆସନ୍ତା ଫେବୃୟାରୀ ୫ ତାରିଖ ଏବଂ ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।   

ସେପଟେ ଜାତୀୟ ଦଳର ଫୋକସରେ ଓଡିଶା । ରାହୁଲଙ୍କ ପୂର୍ବରୁ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁନର୍ବାର ଓଡିଶା ଗସ୍ତ । ରାହୁଲ ଉପକୂଳ ଓଡିଶାରେ ସାଧାରଣସଭା ଓ ରାଲି କରିବେ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜୟ ପରେ ରାଜ୍ୟରେ କଂଗ୍ରେସ କର୍ମୀଙ୍କ ଉତ୍ସାହ ବଢାଇବା ପାଇଁ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି । ଏହାକୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ହୋଇଛି ।  ରାଲି ଓ ସାଧାରଣ ସଭାରେ ସେ ମୋଦିଙ୍କୁ ଟାର୍ଗେଟ କରିବେ । କିନ୍ତୁ ରାଜ୍ୟ ସରକାର, ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ କଂଗ୍ରେସ ସଭାପତି କଣ କହିବେ ସେ ଉପରେ ସମସ୍ତଙ୍କ ନଜର ରହିଛି  ।