ମୋଦିଙ୍କୁ ଦରକାର ନବୀନଙ୍କ ସାଥ୍ ? ସେଥିପାଇଁ ମୋଦି ଥିଲେ ଚୁପ୍ ବିଷ ଓଗାଳିଲେ ରାହୁଲ ।

307

କନକ ବ୍ୟୁରେ: ଯାହା ମୋଦି କରିପାରିଲେନି ତାହା ରାହୁଲ କରି ଦେଖାଇଲେ । ଏକଥା ଆମେ କହୁନୁ ବରଂ ଏକଥା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେବାରେ ଲାଗିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଗସ୍ତରେ ଆସି ନବୀନଙ୍କ ପ୍ରତି ନରମ ଆଭିମୂଖ୍ୟ ରାଜନୀତି ମହଲକୁ ଥଣ୍ଡା କରିଥିଲା । ହେଲେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟ ରାଜନୀତି ପାରଦକୁ ବେଶ୍ ଗତିଶୀଳ କରିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ଆସି ନବୀନଙ୍କ ଉପରେ ଧୂମ ବର୍ଷିଛନ୍ତି ରାହୁଲ । ଏପରିକି ନବୀନଙ୍କୁ କଡ଼ା ଭାଷାରେ ସମାଲୋଚନା କରିବାକୁ ତିଳେ ମାତ୍ର ସଙ୍କୋଚ କରିଲେନି ରାହୁଲ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି ।

ଆସନ୍ତା ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଫୋକସ କରିଥିବା ମୋଦିଙ୍କ ମାରାଥନ ଗସ୍ତରେ ନବୀନଙ୍କ ବିରୋଧରେ ମୁହଁ ଖୋଲିବାକୁ ପଛଘୁଞ୍ଚା ଦେଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଆଜି କଂଗ୍ରେସ ହାଇକମାଣ୍ଡ ରାହୁଲ ଉଭୟ ମୋଦି ଓ ନବୀନଙ୍କୁ ନିଶାନା କରି ଧୂମ ବର୍ଷିଛନ୍ତି । ରାଜ୍ୟରେ ଜନତାଙ୍କ କଥା ଶୁଣି ସରକାର ଚାଲୁ ନାହିଁ ବରଂ ଅମଲା ବା ପ୍ରଶାସନିକ ଇଙ୍ଗିତରେ ଚାଲିଛି । ଦିଲ୍ଲୀରେ ଚୋର ଚୌକିଦାର ଓ ଓଡ଼ିଶାରେ ଚିଟଫଣ୍ଡ ଘୋଟାଲାରେ ବୁଡ଼ିଛନ୍ତି ରାଜ୍ୟ ସରକାର ବୋଲି କହି କଡ଼ା ସମାଲୋଚନା କରିଛନ୍ତି ରାହୁଲ ।

ରାଜ୍ୟ ରାଜନୀତି ବାରୁଦରେ ନିଆଁ ଲଗାଇ ନବୀନ ଓ ମୋଦିଙ୍କୁ କଂଗ୍ରେସ ହାଇକମାଣ୍ଡଙ୍କ ସମାଲୋଚନା ପରେ ତେଜିଛି ରାଜନୀତି । ଯାହା ଦର୍ଶାଉଛି ଆଗାମୀ ନିର୍ବାଚନ ପାଇଁ କାହାର ବାଟ ଏତେ ସହଜମୟ ହେବନାହିଁ । ପ୍ରମୂଖ ରାଜନୈତିକ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ରାହୁଲଙ୍କ ଗର୍ଜନରୁ ଜଣାପଡୁଛି । ଗୋଟିଏ ପଟେ ନବୀନଙ୍କ ପ୍ରତି ମୋଦିଙ୍କ ନରମ ମନୋଭାବକୁ ନେଇ ବିଜେପି ଶିବିରଠାରୁ ଆରମ୍ଭ କରି ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ଅନ୍ୟପଟେ ଓଡ଼ିଶାରେ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାହୁଲ ସିଧା ନିଶାନା କରିଛନ୍ତି । ଏବଂ ଚର୍ଚ୍ଚା ହେଉଛି ମୋଦି କରିଥିବା ଭୁଲକୁ ରାହୁଲ ନ ଦୋହରାଇ ସିଧା ସିଧା ବର୍ଷିଛନ୍ତି ।