ଆଜି ଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ । ଅଶୋକ ଗେହଲଟ୍ ଓ ଶଶୀ ଥରୁରଙ୍କ ମଧ୍ୟରେ ହୋଇପାରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା

71

କନକ ବ୍ୟୁରୋ : ଆଜି ଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହେବ ନାମାଙ୍କନ । କିଏ ପ୍ରାର୍ଥୀ ହେବ ତାକୁ ନେଇ ବହୁ ନେତାଙ୍କ ନାଁ ସାମନାକୁ ଆସିଥିଲେ ବି କିଏ ନାମାଙ୍କନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ଆକଳନ କରାଯାଉଥିଲା ଯେ, ଅଶୋକ ଗେହେଲୋଟ ଓ ଶଶୀ ଥରୁରଙ୍କ ମଧ୍ୟରେ ମୁକାବିଲା ହେବ, କିନ୍ତୁ ଅନ୍ୟ କଂଗ୍ରେସ ନେତା ମଧ୍ୟ ନାମାଙ୍କନ ଭରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ମଲ୍ଲିକାର୍ଜୁନ ଖାଡଗେ, ସୁଶୀଲ କୁମାର ସିନ୍ଦେ , ଦିଗବିଜୟ ସିଂହ, ମନୀଷ ତିୱାରୀ, କେ ସି ବେଣୁଗୋପାଳଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି ।
ଆଜି ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଅକ୍ଟୋବର ୮ ରହିଛି । ଯଦି ଏକରୁ ଅଧିକ ନାମାଙ୍କନ ପତ୍ର ଦାଖଲ ହୁଏ ତାହେଲେ ଅକ୍ଟୋବର ୧୭ରେ ନିର୍ବାଚନ ହେବ । ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ । ଦୀର୍ଘ ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । କଂଗ୍ରେସ ଭିତିରି କନ୍ଦଳ ଯୋଗୁଁ ବହୁ ବରିଷ୍ଠ ନେତା ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇସାରିଛନ୍ତି । ଏହାସହ କଂଗ୍ରେସର ବହୁ ବରିଷ୍ଠ ନେତା ଦଳର ନେତୃତ୍ୱ ଓ ପରିଚାଳନାରେ ପରିବର୍ତନ ନେଇ ପ୍ରଶ୍ନ ଉଠାଇଆସିଛନ୍ତି । ଏପରି ସମୟରେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଯଦିଓ ରାହୁଲ ପୁଣି ଥରେ ଅଧ୍ୟକ୍ଷ ହୁଅନ୍ତୁ ବୋଲି ବିଭିନ୍ନ ରାଜ୍ୟରେ ଥିବା ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି, ହେଲେ ପୁଣି ଥରେ ଅଧ୍ୟକ୍ଷ ହେବାକୁ ରାଜି ନଥିବା ଇସାରା ଦେଇ ସାରିଛନ୍ତି ରାହୁଲ ଗାନ୍ଧୀ । ଏପରି ସ୍ଥଳେ ଜଣେ ଅଣଗାନ୍ଧୀ କଂଗ୍ରେସର ମଂଗ ସମ୍ଭାଳିବାର ସମ୍ଭାବନା ବଢ଼ିଛି ।