ଏଆଇଏଡିଏମକେରେ ଫାଟ: ଶେଷ ହେଲା ଦୁଇ ମୁଖ୍ୟ ନେତୃତ୍ୱ ପଲିସି, ଇ.କେ ପଲାନୀସ୍ୱାମୀ ହେଲେ ନୂଆ ମୁଖ୍ୟ ।

146

କନକ ବ୍ୟୁରୋ: ଏଆଇଏଡିଏମକେର କ୍ଷମତାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପଲାନୀସ୍ୱାମୀ ତଥା ଇପିଏସ୍ ଏବଂ ଓ ପନିରସେଲଭମ ତଥା ଇପିଏସଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଆଜି ଚେନ୍ନାଇରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥତି ଅଣାୟତ ହେବାରୁ ରାଜସ୍ୱ ବିଭାଗ ପକ୍ଷରୁ ଏଆଇଏଡିଏମକେ କାର୍ଯ୍ୟାଳୟକୁ ସିଲ କରାଯାଇଛି । ସୋମବାର ଚେନ୍ନାଇରେ ଅଢେଇ ହଜାରରୁ ଅଧିକ ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ଜେନେରାଲ କାଉନସିଲ ବୈଠକରେ ଇପିଏସଙ୍କୁ ଦଳର ସୁପ୍ରିମ ନେତା ଭାବେ ଚୟନ କରାଯାଇଥିଲା । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ପକ୍ଷ ଗୋଷ୍ଠୀ । ପୁଲିସ ଇପିଏସ୍ ଗୋଷ୍ଠୀଙ୍କୁ କାର୍ଯ୍ୟାଳୟ ଛାଡି ପଳାଇ ଯିବାକୁ କହିଥିଲେ ବି ସେମାନେ ନ ଯିବାରୁ ଶେଷରେ କାର୍ଯ୍ୟାଳୟକୁ ସିଲ କରାଯାଇଛି ।

ଦୀର୍ଘ ଦିନ ହେବ ଏଆଇଏଡିଏମକେର ମୁଖ୍ୟ ଭାବେ ସଂଯୋଜକ ଏବଂ ସହସଂଯୋଜକ ପଦବୀରେ ଉଭୟ ଓପିଏସ୍ ଏବଂ ଇପିଏସ୍ ରହୁଥିଲେ । ହେଲେ ଏହି ଦୁଇ ପଦବୀକୁ ଉଚ୍ଛେଦ କରିବା ସହ ଇପିଏସ ତଥା ଇଡାପାଡି କେ ପଲାନୀସ୍ୱାମୀଙ୍କୁ ଦଳର ସୁପ୍ରିମ ନେତା ଭାବେ ନିଯୁକ୍ତ କରିଛନ୍ତି ଦଳର ସଦସ୍ୟ ।

ସୋମବାର ଇପିଏସ୍ ଦଳୀୟ ନେତା ଓ କର୍ମୀଙ୍କ ବୈଠକ ଡକାଯାଇଥିଲା । ସକାଳେ ଦୁଇ ଗୋଷ୍ଠୀର ସମର୍ଥକମାନେ ଚେନ୍ନାଇରେ ଥିବା ଦଳୀୟ କାର୍ଯ୍ୟାଳୟରେ ଭିଡ ଜମାଇଥିଲେ । ଇପିଏସ ଗୋଷ୍ଠୀ ଲଗାଇଥିବା ବ୍ୟାନର, ପୋଷ୍ଟରକୁ ଚିରିବା ସହ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ ଓପିଏସ ଗୋଷ୍ଠୀ । ପରେ କଥା କଟାକଟିରୁ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ପରସ୍ପର ପରସ୍ପରଙ୍କୁ ପଥର ଫୋପାଡିବା ସହ ବାଡି ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାକୁ ପଛାଇନଥିଲେ । ଗଣ୍ଡଗୋଳରେ ବହୁ କର୍ମୀ ଆହତ ହୋଇଥିବା ବେଳେ କିଛି ଗାଡିକୁ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ଓପିଏସ୍ ଦଳକୁ ଦୁର୍ବଳ କରୁଥିବା ନେଇ ଇପିଏସ ଏବଂ ଦଳର କିଛି ବରିଷ୍ଠ ନେତା ଅଭିଯୋଗ ଆଣିଥିବା ବେଳେ ଓପିଏସ୍ କହିଛନ୍ତି ଦଳର ଦେଢ କୋଟି ଲୋକେ ତାଙ୍କୁ ସଂଯୋଜକ ବନାଇଥିଲେ । ଇପିଏସ୍ କିମ୍ବା ଅନ୍ୟ ନେତା ତାଙ୍କୁ ନିଲମ୍ବିତ କରିପାରିବେ ନାହିଁ । ଏବଂ ଏହି ନିଷ୍ପତି ବିରୋଧରେ ସେ ସୁପ୍ରମିକୋର୍ଟ ଯବେ ବୋଲି କହିଛନ୍ତି ।

୨୦୧୬ରେ ଦଳର ମୁଖ୍ୟ ଜୟଲଳିତାଙ୍କ ମୃତ୍ୟୁ ପରେ ଦଳରେ ଦୁଇ ଜଣ ମୁଖ୍ୟ ନେତୃତ୍ୱ ପଦବୀରେ ରହିଆସୁଥିଲେ । ହେଲେ ଗତ ସପ୍ତାହରେ ସୁପ୍ରମିକୋର୍ଟ ଇପିଏସଙ୍କ ଦଳର ଆଇନ ଅନୁସାରେ ଦଳୀୟ ବୈଠକ କରିବାକୁ ଅନୁମତି ଦେଇଥିଲେ । ସୁପ୍ରମିକୋର୍ଟଙ୍କ ଅନୁମତି ଅନୁସାରେ ଆଜି ବୈଠକ ଡାକିଥିଲେ ଇପିଏସ୍ ।