ପ୍ରଥମ ଥର ପାଇଁ ଦିନରେ ହେବ ନୀଳାଦ୍ରି ବିଜେ । ସଅଳ ମନ୍ଦିର ଫେରିବେ ମହାପ୍ରଭୁ, ଚନ୍ଦ୍ରଗ୍ରହଣ ପାଇଁ ବଦଳିବ ନୀତିକାନ୍ତି ସମୟ ।

217

କନକ ବ୍ୟୁରୋ : ଜୁଲାଇ ୧୫ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି । ତେବେ ଏଥର ମହାପ୍ରଭୁ ଶୀଘ୍ର ମନ୍ଦିର ଫେରିବେ । କାରଣ, ତା’ପରଦିନ ଚନ୍ଦ୍ରଗ୍ରହଣ ପଡୁଛି । ଗ୍ରହଣ ଯୋଗୁଁ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ରାତି ୧୧ଟା ସୁଦ୍ଧା ଚତୁର୍ଦ୍ଧାମୁରତି ନୀଳିଦ୍ରିବିଜେ କରିବେ ଏବଂ ମନ୍ଦିର ପହଡ ପଡିବ ବୋଲି ପ୍ରଶାସନ ସ୍ପଷ୍ଟ କରିଦେଇଛି ।

ନୀଳାଦ୍ରିବିଜେକୁ ଚନ୍ଦ୍ରଗ୍ରହଣ ଅଡୁଆ । ସଅଳ ମନ୍ଦିର ଫେରିବେ ମହାପ୍ରଭୁ । ୯ ଦିନର ଯାତ୍ରା ପରେ ଠାକୁରଙ୍କ ନୀଳାଦ୍ରିବିଜେ ନୀତି ଏଥର ସଅଳ ହେବାକୁ ଯାଉଛି । ପ୍ରଥମଥର ପାଇଁ ରାତି ୧୧ଟା ସୁଦ୍ଧା ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ । ଗୋଟି ପହଣ୍ଡିରେ ରତ୍ନସିଂହାସନରେ ବିରାଜିବେ ଚତୁର୍ଦ୍ଧାମୁରତି । ଏବଂ ରାତି ୧୨ଟା ପୂର୍ବରୁ ମନ୍ଦିର ପହୁଡ ପଡିବ । ତିନି ଘଂଟା ପରେ ରାତି ୩ଟାରେ ଦ୍ୱାର ଫିଟା ସହ ଅନ୍ୟାନ୍ୟ ନୀତିକାନ୍ତି ହେବ ।

ଜୁଲାଇ ୧୫ ତାରିଖ- ନୀଳାଦ୍ରିବିଜେ । ଜୁଲାଇ ୧୬ ତାରିଖ- କେତୁ ଚନ୍ଦ୍ରଗ୍ରହଣ । ଆସନ୍ତା ଜୁଲାଇ ୧୫ ତାରିଖ ଦିନ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି ରହିଛି । ତେବେ ତା’ପରଦିନ ଅର୍ଥାତ୍ ଜୁଲାଇ ୧୬ ତାରିଖ ରାତି ସାଢେ ଗୋଟାଏରେ ପଡୁଛି ଚନ୍ଦ୍ରଗ୍ରହଣ । ଗ୍ରହଣ ଲାଗିବାର ୯ ଘଂଟା ପୂର୍ବରୁ ଠାକୁରଙ୍କ ସବୁ ନୀତିକାନ୍ତି ଶେଷ କରିବାକୁ ପଡିବ ।

ଅପରାହ୍ନ ୪ ଟାରେ ମହାପ୍ରଭୁଙ୍କ ନୀତି ଶେଷ ହେବ ଏବଂ ପାକ ତ୍ୟାଗ ହେବ । ତେଣୁ ଗ୍ରହଣ ପୂର୍ବଦିନ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିବର୍ଷ ନୀଳାଦ୍ରିବିଜେରେ ଅଧରାତିରେ ମନ୍ଦିର ଫେରିଥାନ୍ତି ମହାପ୍ରଭୁ । ରଥ ଉପରେ ସନ୍ଧ୍ୟା ୬ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହେବା ସହ ମନ୍ଦିର ଫେରିବା ବେଳକୁ ରାତି ୧୨ ପାର୍ ହୋଇଯାଇଥାଏ । ତେବେ ଏଥର ସଅଳ ହେବାକୁ ଯାଉଛି ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନୀତି ।