ବେଙ୍ଗାଲୁରୁରେ ପ୍ରଦର୍ଶିତ ହେଲା ‘ଆହେ ନୀଳ ଶଇଳ’। ଓଡିଆ ସହ କନ୍ନଡ ବାସିନ୍ଦା କଲେ ପ୍ରଶଂସା।

125

କନକ ବ୍ୟୁରୋ: ଭୁବନେଶ୍ୱରରେ ଅଦ୍ଭୁତପୂର୍ବ ସଫଳତା ପରେ ବେଙ୍ଗାଲୁରୁରେ ପ୍ରଦର୍ଶିତ ହୋଇଛି ନାଟକ ଆହେ ନୀଳ ଶଇଳ । ଆଉ ଓଡିଶା ବାହାରେ ଏହି ନାଟକର ପ୍ରଦର୍ଶନ ବେଶ ପ୍ରଶଂସା ସାଉଁଟିଛି । ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ତଥା ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗତି କରିଛି ନାଟକର ବିଷୟବସ୍ତୁ । ଏହି ନାଟକକୁ ଦେଖିବା ପାଇଁ ବେଙ୍ଗାଲୁରୁରେ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଓଡିଆ ସହ କିଛି କନ୍ନଡ ବାସିନ୍ଦା ଆହେ ନୀଳ ଶଇଳକୁ ଦେଖି ପ୍ରଶଂସା କରିଛନ୍ତି ।

ଶ୍ରୀ ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତି କିପରି ବଳିଦାନ ଦେଇଥିଲେ, ତାହା ନାଟକରେ ପ୍ରଦର୍ଶିତ ହୋଇଛି । ମୋଗଲ ଶାସନ କାଳରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିଲେ ଗଜପତି ମହାରାଜ ରାମଚନ୍ଦ୍ର ଦେବ । ଧର୍ମ, ସଂସ୍କୃତି, ରାଜନୀତି, ଅର୍ଥନୀତି, ଓଡ଼ିଆ ଜାତିର ଗର୍ବ ଓ ଗୌରବ ସବୁ କିଛି ପ୍ରଭୁ ଜଗନ୍ନାଥ । ଜଗନ୍ନାଥ ଆଗ, ଜାତି ଧର୍ମ ଏହା ଆଗରେ ତୁଚ୍ଛ । ଜଗନ୍ନାଥଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜ ଧର୍ମ ତ୍ୟାଗ କରିଛନ୍ତି ଗଜପତି ରାମଚନ୍ଦ୍ର ଦେବ । ଏପରିକି ଶ୍ରୀମନ୍ଦିର ପ୍ରବେଶ କରିବାର ଅଧିକାର ହରାଇଥିଲେ ବି ଏହି ବଳିଦାନ ପାଇଁ ପଛଘୁଞ୍ଚା । ଦେଇନାହାନ୍ତି ଗଜପତି । ଆହେ ନୀଳ ଶଇଳର କଥାବସ୍ତୁ ଏହାକୁ ନେଇ ଗତି କରିଛି । ଯାହା ଦର୍ଶକଙ୍କ ମନକୁ ଛୁଇଁ ପାରିଛି ।

ମୋଗଲ କାଳରେ ଓଡ଼ିଆ ଜାତିର ଆସ୍ଥା ଓ ଅସ୍ମିତାର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଛି କଟକର ନାଏବ ନିଜାମ ତକୀ ଖାଁ । ଗଜପତି ରାମଚନ୍ଦ୍ର ଦେବ ବନ୍ଦୀ ହୁଅନ୍ତି । ମୁକ୍ତି ପାଇଁ ଶେଷରେ କଠୋର ସର୍ତ ରଖେ ତକୀ ଖାଁ । ରାଜାଙ୍କ ଆଗରେ ଥାଏ ଦୁଇଟି ରାସ୍ତା – ଜାତି ଆଉ ଜଗନ୍ନାଥ । ଏଭଳି ଘଡ଼ିସନ୍ଧି ମୁୂହୂର୍ତରେ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଜାତିକୁ ତ୍ୟାଗ କରନ୍ତି ଗଜପତି । ଧର୍ମ ପରିବର୍ତନ କରି ରଜିଆଙ୍କୁ ବିବାହ କରନ୍ତି, ଆଉ ଗଜପତିରୁ ପାଲଟି ଯାଆନ୍ତି ହାପିଜ୍ କଦର ବେଗ୍ । ଠାକୁରଙ୍କ ସୁରକ୍ଷା ପାଇଁ ଅପବାଦ, ଲାଞ୍ଚନା ଓ ତିରଷ୍କାରକୁ ଖାତିର ନକରି ରାମଚନ୍ଦ୍ର ଦେବ ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ କରିଛନ୍ତି, ଯେଉଁ ଅତୁଳନୀୟ ବଳିଦାନ ଦେଇଛନ୍ତି, ତାହା ହିଁ ଆହେ ନୀଳ ଶଇଳ ନାଟକରେ ବର୍ଣ୍ଣନା ହୋଇଛି । ବେଙ୍ଗାଲୁରୁର ରବୀନ୍ଦ୍ର କଳା କ୍ଷେତ୍ରରେ ୧୪ , ୧୫ ଓ ୧୬ ତାରିଖ ୩ ଦିନ ଧରି ଓଡିଶା ଉତ୍ସବ ଆୟୋଜିତ ହୋଇଛି । ଏଥିରେ ଚକଲେଟ ପ୍ରଡକ୍ସନର ଆହେ ନୀଳ ଶଇଳ ପ୍ରଦର୍ଶିତ ହୋଇ ବେଶ ପ୍ରଶଂସିତ ହୋଇଛି ।