କନ୍ଧମାଳ ହଳଦି ପରେ ଏବେ ଆଳୁକୁ ନେଇ ଚର୍ଚ୍ଚା । ପାହାଡି ଆଳୁର ବଢୁଚି ଚାହିଦା, ଡାଇବେଟିସ୍ ରୋଗୀଙ୍କ ପାଇଁ ହେଉଛି ଲୋଡା । 

129

କନକ ବ୍ୟୁରୋ: ସମଗ୍ର ରାଜ୍ୟରେ କନ୍ଧମାଳ ଆଳୁର ସ୍ୱତନ୍ତ୍ରତା ରହିଛି । ଆକାରରେ ସାନ ଥିଲେ ବି ଏହାର ଉପକାରିତା ଢେର୍ ଅଧିକ । ଶ୍ୱେତସାର କମ୍ ଥିବାରୁ ଡାଇବେଟିସ୍ ରୋଗୀ ମାନେ ମଧ୍ୟ ଏହାକୁ ଖାଇ ପାରନ୍ତି  । ବଡ କଥା ହେଉଛି କନ୍ଧମାଳରେ ଥଣ୍ଡା ଜଳବାୟୁ ଓ ଦେଶୀ ପଦ୍ଧତିରେ ଜୈବିକ ଖତରେ ଉତ୍ପାଦନ ହେଉଥିବା ଏହି ଛୋଟ ଆଳୁ ବିନା ଶୀତଳ ଭଣ୍ଡାରରେ ଏକ ବର୍ଷ ଧରି ରହିପାରିବ । 

ସାରା ଓଡିଶାରେ କନ୍ଧମାଳ ଆଳୁର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଆକାରରେ ଏହା ସାନ କିନ୍ତୁ ଗୁଣରେ ଭରପୁର ତେଣୁ ୁ ଏହାର ଚାହିଦା ଅଧିକ । ଏଠିକାର ଚାଷୀ ଆଶ୍ୱିନ ମାସରେ ଏହି ଛୋଟ ଆଳୁକୁ ଲଗାଇଥାନ୍ତି ଓ ଫଗୁଣ ମାସରେ ଆଳୁ ଅମଳ ହୋଇଥାଏ । ଏହି ଆଳୁୁରେ ଶ୍ୱେତସାର କମ୍ ଥିବାରୁ ମଧୁମେହ ରୋଗୀ ମଧ୍ୟ ଏହା ଆଳୁ ଖାଇପାରିବେ । ଆଉ ଏଥିପାଇଁ ବହୁ ସ୍ଥାନରେ କନ୍ଧମାଳ ଆଳୁର ବଜାର ଚାହିଦା ଅଧିକ । 

ସରକାରି ପ୍ରୋତ୍ସାହନର ଅଭାବ ସତ୍ୱେ ଏଠାକାର ଅଧିବାସୀ ଏହି ଆଳୁକୁ ନିଜେ ମାସ ମାସ ଧରି ରଖିବା ସହ ଖାଇବା ପାଇଁ ଚାଷ କରିଥାନ୍ତି  । ସବୁଠୁ ବଡ କଥା ହେଉଛି ଏହି ଆଳୁକୁ ଶୀତଳ ଭଣ୍ଡାରରେ ରଖିବାର ଆବଶ୍ୟକତା ନାହିଁ । ତେଣୁ ଏଠାକାର ଆଦିବାସୀମାନେ ଏହାକୁ ଘରେ ବର୍ଷ ତମାମ୍ ରଖି ଖାଅନ୍ତି । ସରକାରୀ ସ୍ତରରେ ଚାଷୀମାନଙ୍କୁ ଏହି ଆଳୁ ଚାଷ ପାଇଁ ପ୍ରୋତ୍ସାହନ ନଥିବାରୁ ନିଜ ସମ୍ବଳ ଅନୁସାରେ ଚାଷୀ ଏହାକୁ ଚାଷ କରନ୍ତି । ଯଦି ସରକାର ଏଥିପାଇଁ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ତାହେଲେ ଏହା ବହୁଳ ଭାବରେ ଚାଷ ହୋଇପାରନ୍ତା ଓ ବିଭିନ୍ନ ସ୍ଥାନକୁ ରପ୍ତାନି ବି ହୋଇପାରନ୍ତା  । 

ସରକାର ଯଦି ଏହି ଆଳୁର ଉତ୍ପାଦନ ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତେ ତେବେ ଚାଷୀ ଉପକୃତ ହେବା ସହ ଗ୍ରାହକଙ୍କ ପାଖରେ ମଧ୍ୟ  ଏହା ପହଂଚିପାରନ୍ତା ।