କନକ ବ୍ୟୁରୋ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବିଜୟ ପରେ ସେୟାର ବଜାରରେ ଉତ୍ସାହ ଜାରି ରହିଛି । ଆଜି ମଧ୍ୟ ନିଫ୍ଟି ପୁଣି ନିବେଶକଙ୍କୁ ଖୁସି ଆଣି ଦେଇଛି । ନିଫ୍ଟି ୪୫୦ ପଏଂଟରୁ ଅଧିକ ଉଚ୍ଚାରେ ଖୋଲିଛି । ତେବେ କ୍ରମାଗତ ଷଷ୍ଠ ଦିନ ଧରି ଷ୍ଟକ୍ ମାର୍କେଟରେ ଭଲ ବ୍ୟବସାୟ ହେଉଥିବା ଦେଖିବାକୁ ମିଳିଛି । ସେନସେକ୍ସ ମଧ୍ୟ ରେକର୍ଡ ସ୍ତରରେ ଖୋଲିବାରେ ସଫଳ ହୋଇଛି ।ଆଜି ସେନସେକ୍ସ ୬୯ ହଜାର ୧୬୮ ପଏଂଟ ସ୍ତରରେ ଖୋଲିଛି । ନିଫ୍ଟି ୨୦ ହଜାର ୮୦୬ ପଏଂଟ ସ୍ତରରେ ଖୋଲିଛି । ନିଫ୍ଟିର ଶୀର୍ଷ ଲାଭକାରୀ ହେଉଛନ୍ତି ବିପିସିଏଲ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଏବଂ ଏମ୍ ଆଣ୍ଡ୍ ସହିତ ଆଦାନୀ ଗ୍ରୁପ୍ ଷ୍ଟକ୍ ରହିଛି । ଆଦାନୀ ଏଂଟରପ୍ରାଇଜେସର ସେୟାର ୧୦ ପ୍ରତିଶତ ଉପରେ ରହିଛି । କମ୍ପାନୀର ସେୟାର ଏବେ ୨ ହଜାର ୭୭୬ ଟଂକାରେ କାରବାର କରୁଛି । ଆଜି ସେୟାର ମାର୍କେଟ ଖୋଲିବାର ଏକ ଘଂଟା ମଧ୍ୟରେ ବଜାରରେ ୨୫ ହଜାର ୧୨୯.୮୧ କୋଟି ଟଂକା ବୃଦ୍ଧି ଘଟିଛି । ଆଦାନୀ-ହିଣ୍ଡେନବର୍ଗ ମାମଲାରେ ନିକଟରେ ସୁପ୍ରିମକୋର୍ଟ ଏକ ଶୁଣାଣି କରୁଥିଲେ । ଏହି ସମୟରେ ହିଣ୍ଡେନବର୍ଗର ରିପୋର୍ଟର ସତ୍ୟାସତ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରଠୁ ଆଦାନୀ ସେୟାରରେ ଉତ୍ସାହ ଜାରି ରହିଛି ।