ବାଙ୍କୀରେ ନିଆରା ବିବାହ: କରୋନାରେ ମଝିଆଁ ଭାଇର ମୃତ୍ୟୁ ପରେ ବିଧବା ଭାଉଜକୁ ସିନ୍ଦୂର ଦେଇ ସଧବା ସଜାଇଲେ ଦିଅର ।

1,444

କନକ ବ୍ୟୁରୋ: ପଡୁଛି ହୁଳୁହୁଳି । ଶଭୁଛି ଶଙ୍ଖ ନାଦ । ବ୍ରାହ୍ମଣର ମନ୍ତ୍ରଧ୍ୱନୀ ସହ ଧୁମଧାମରେ ଚାଲିଛି ବାହାଘର । ହେଲେ ଏହି ବାହାଘର ହେଉଛି ଟିକେ ନିଆରା । ଜଣେ ବିଧବା ମହିଳାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି ନିଜ ଦିଅର । ମୁଣ୍ଡରେ ସିନ୍ଦୂର ପିନ୍ଧାଇ ସଧବା ବେଶରେ ସଜାଇଛନ୍ତି ବାଙ୍କୀ ଡମପଡା ରଗଡି ଗାଁର ଅରୁଣ ବାରିକ । ମଝିଆଁ ଭାଇର ମୃତ୍ୟୁ ପରେ ବିଧବା ଭାଉଜ ଲିଲିକୁ ସଧବା ବେଶରେ ସଜାଇଛନ୍ତି ଅରୁଣ ।

ଦାଣ୍ଡ ଦୁଆରେ ବସିଛି ଶୁଭ କଳସୀ । ଘର ଭିତରେ ସଜାହୋଇଛି ଦୀପ ସହ ଅରୁଆ ଚାଉଳ । ଶଙ୍ଖ ଆଉ ହୁଳୁହୁଳି ସହ ବ୍ରାହ୍ମଣ ମନ୍ତ୍ରରେ କମ୍ପିଉଠୁଛି ପରିବେଶ । ଏହି ଚିତ୍ର ଦେଖିଲେ ସ୍ପଷ୍ଟ ଅନୁମାନ କରିହେଉଛି ଯେ ଏଠାରେ ଚାଲିଛି ବାହାଘର । ହେଲେ ଏହା କୌଣସି ସାଧାରଣ ବାହାଘର ନୁହେଁ । ଯେଉଁଠି ଦେଖିବାକୁ ମିଳିଛି କିଛି ନିସ୍ୱାର୍ଥପର ଭଲ ପାଇବା ଓ ତ୍ୟାଗ । ଯେଉଁ ସମାଜରେ ସମ୍ପର୍କ ଦ୍ୱାହି ଦେଇ ଜଣେ ମହିଳାକୁ ଅସହାୟ ଆଖ୍ୟା ଦିଆଯାଉଛି । ସେଠି ଜଣେ ସ୍ୱାମୀ ହରାଇଥିବା ମହିଳା ସହ ସମ୍ପର୍କ ଯୋଡିଛନ୍ତି ଜଣେ ଯୁବକ । ବାଙ୍କୀ ଡମପଡା ରଗଡି ଗାଁର ଅରୁଣ ବାରିକ । ମଝିଆଁ ଭାଇର ମୃତ୍ୟୁ ପରେ ନିଜ ଭାଉଜ ମଥାରେ ଦେଇଛନ୍ତି ସିନ୍ଦୂର । ସାତ ଜନ୍ମ ପାଇଁ ସାଥୀ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ପରିବାର ଲୋକଙ୍କ ସ୍ୱୀକୃତି ନେଇ ବିଧବା ଭାଉଜ ଲିଲିକୁ ସଧବା ବେଶରେ ସଜାଇଛନ୍ତି ଅରୁଣ । ସ୍ୱାମୀକୁ ହରାଇବା ପରେ ଜଣେ ମହିଳା ପ୍ରତି ସମାଜର ଦୃଷ୍ଟି କୋଣ ବଦଳି ଯାଉଥିବା ବେଳେ ଲିଲିଙ୍କୁ ଏକ ପରିଚୟ ଦେଇଛନ୍ତି ଅରୁଣ । ଜଣେ ବିଧବା ମହିଳାଙ୍କୁ ସଧବା ସଜାଇ ନୂଆ ଏକ ପରିଚୟ ଦେବା ସହ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରଗଡି ଗାଁର ଅରୁଣ ବାରିକ ।