କେନ୍ଦୁଝରଗଡ଼ ପୌରପାଳିକାର ୨ନମ୍ବର ୱାର୍ଡ଼ରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଝୁଲୁଛି ତାଲା। ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି ପିଲା।

55

କନକ ବ୍ୟୁରୋ: କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳ । ଖୋଲା ଆକାଶ ତଳେ ଗାଁ ଲୋକଙ୍କ ବାରଣ୍ଡାରେ ପାଠପଢ଼ୁଛନ୍ତି କୁନି କୁନି ପିଲା । କେତେବେଳେ ଏମାନଙ୍କ ପାଠପଢ଼ାରେ ବର୍ଷାବାଧକ ସାଜୁଛି ତ ପୁଣି କେତେବେଳେ ଖରା ସାଜୁଛି ବାଧକ । ପାଠପଢ଼ିବା ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ଅଙ୍ଗନୱାଡ଼ି ପିଲା । ସୂଚନା ଅନୁସାରେ କେନ୍ଦୁଝରଗଡ଼ ପୌରପାଳିକା ୨ନମ୍ବର ୱାର୍ଡ଼ର ହୁଣ୍ଡାସାହିରେ ପ୍ରାୟ ବର୍ଷେ ହେଲା ନିର୍ମାଣ ହୋଇଛି ନୂତନ ଅଙ୍ଗନୱାଡ଼ି ଗୃହ । କିନ୍ତୁ ସେଥିରେ ଏବେ ତାଲା ଝୁଲୁଛି ।

କୁନି କୁନି ପିଲାମାନେ ପରଘର ଅଗଣାରେ ପାଠପଢ଼ୁଛନ୍ତି । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପଡ଼ିବେ । ଦୀର୍ଘ ବର୍ଷେ ହେଲା କାମ ସରିଥିଲେ ବି କଂଟ୍ରାକ୍ଟର ପାଇନି ପାଉଣା । ତେଣୁ ଗତ ୩ମାସ ହେଲା କଂଟ୍ରାକ୍ଟର ଅଙ୍ଗନୱାଡ଼ି ଗୃହରେ ତାଲା ମାରି ରଖିଛି । ଏଠାରେ ପାଠ ପଢ଼ୁଥିବା କୋମଳମତି ଶିଶୁମାନେ ପର ଘର ବାରଣ୍ଡାରେ ପାଠ ପଢ଼ୁଛନ୍ତି । ଖରା, ବର୍ଷା ଶୀତ କାକରରେ ଶିଶୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।