ଗୁଜରାଟରେ ଦୁର୍ଘଟଣା ପରେ ଓଡିଶା ସତର୍କ: ଯାଞ୍ଚ ହେବ ଧବଳେଶ୍ୱର ଝୁଲାପୋଲ

138

କନକ ବ୍ୟୁରୋ: ଗୁଜରାଟରେ ଝୁଲାପୋଲ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ୨୪ ଘଂଟା ପରେ ବି ମଚ୍ଛୁ ନଦୀରେ ଉଦ୍ଧାରକାରୀ ଦଳର ବୋଟ ଘୁରି ବୁଲୁଛି । ଭାରତୀୟ ସେନା ସହ ଏନଡିଆରଏଫ, ଏସଡିଆରଏଫ ଓ ଅଗ୍ନିଶମ ବାହିନୀ ବୋଟରେ ପଇଁତରା ମାରି ପାଣି ଭିତରେ ମୃତଦେହକୁ ଖୋଜୁଛନ୍ତି ।

ମୋରବୀର ମଚ୍ଛୁ ନଦୀରୁ ୧୩୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ମୃତଦେହ ପାଣିରେ ଥିବା ସନ୍ଦେହ କରାଯାଉଛି । ଉଦ୍ଧାର ପରେ ହସ୍ପିଟାଲରେ ଭର୍ତି ୧୭୭ ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ଏବେ ବି ୫୦ରୁ ଅଧିକ ଲୋକଙ୍କ ପତା ମିଳୁନାହିଁ । ଡ୍ରୋନ ଉଡାଇ ନିଖୋଜଙ୍କୁ ଖୋଜାଖୋଜି ଚାଲିଛି ।

ରବିବାର ସନ୍ଧ୍ୟାରେ ମଚ୍ଛୁ ନଦୀ କୂଳରେ ଛଟ ପୂଜା ପାଇଁ ଭିଡ ଜମିଥିଲା । ଝୁଲାପୋଲରେ ଅତ୍ୟଧିକ ଲୋକ ଚଢିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲର ଧାରଣ କ୍ଷମତା ଶହେ ବ୍ୟକ୍ତି ଥିବା ବେଳେ ପ୍ରାୟ ୪ଶହରୁ ଅଧିକ ଚଢିଯାଇଥିଲେ । ଅତ୍ୟଧିକ ଓଜନରେ ପୋଲର ଗୋଟିଏ ମୁଣ୍ଡ ଛିଣ୍ଡିଯିବାରୁ ଲୋକେ ନଦୀ ଭିତରେ ପଡି ଯାଇଥିଲେ । କେତେ ଭୟାନକ ଥିଲା ସେହି ସମୟ, ତାହା ବର୍ଣ୍ଣନା କରିଛନ୍ତି ମୃତ୍ୟୁକୁ ଅତି ନିକଟରୁ ଦେଖିଥିବା ବ୍ୟକ୍ତି ।

ଆଉ ଏକ ସାଂଘାତିକ କଥା ହେଲା ୭ ମାସ ପରେ ଝୁଲା ପୋଲ ଖୋଲିଥିଲେ ମଧ୍ୟ ବିନା ଫିଟନେସ ସାର୍ଟିଫିକେଟରେ ଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା । ଏବେ ସଂପୃକ୍ତ ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ସଂସ୍ଥା ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି । ମୃତକଙ୍କ ପରିବାରକୁ ଗୁଜୁରାଟ ସରକାର ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ମଧ୍ୟ ଘୋଷଣା କରାଯାଇଛି ।

ଗୁଜରାଟରେ ଝୁଲାପୋଲ ଦୁର୍ଘଟଣା ପରେ ସତର୍କ ହୋଇଛନ୍ତି କଟକ ଜିଲ୍ଲା ପ୍ରଶାସନ । ଧବଳେଶ୍ୱର ପୀଠକୁ ଯିବା ପାଇଁ ଥିବା ଝୁଲାପୋଲର ନିରାପତା ଯାଂଚ ପାଇଁ ଝୁଲାପୋଲରେ ଯାତାୟତକୁ ଦିନକ ପାଇଁ ବନ୍ଦ ରଖାଯାଇଛି । ବୈଷୟିକ ଟିମ୍ ଧବଳେଶ୍ୱରରେ ପହଁଚି ଝୁଲାପୋଲର ଯାଂଚ କରୁଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ଏବେ ଡଙ୍ଗା ବା ମୋଟର ବୋଟ୍ ସାହାଯ୍ୟରେ ଧବଳେଶ୍ୱର ପୀଠକୁ ଯିବେ ଶ୍ରଦ୍ଧାଳୁ ।

ଯଦି ଧବଳେଶ୍ୱର ଝୁଲାପୋଲର ମରାମତି ସଠିକ୍ ଭାବେ ହୋଇନପାରିଲେ ଝୁଲାପୋଲ ଯାତ୍ରାକୁ ବନ୍ଦ କରାଯାଇପାରେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।