ମୃତ୍ୟୁର ୬ ମାସ ପରେ ଦାହ ହେଲା ଶବ: ଆଇନଗତ ଲଢେଇ ଓ କମ୍ପାନୀର ଜିଦ ପାଇଁ ଆସିପାରିନଥିଲା ଶବ 

1,273

କନକ ବ୍ୟୁରୋ: ମୃତ୍ୟୁର ୬ ମାସ ପରେ ଦାହ ହେଲା ଶବ । ଏମିତି ଏକ ସମ୍ବେଦନଶୀଳ ଘଟଣା ଖୋର୍ଦ୍ଧା ଜିଲ୍ଲାରୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବୀରକେଶପୁରର ବାବୁଲି ବିଶ୍ୱାଳ କାମ ଅନ୍ୱେଷଣରେ ଓମାନ୍ ଚାଲିଯାଇଥିଲେ । ୧୦ ବର୍ଷ ତଳେ ବାବୁଲି ଓମାନ ଯାଇ ସେଠାରେ ଏକ କମ୍ପାନୀରେ ମିସ୍ତ୍ରୀ ରୂୂପେ କାମ କରୁଥିଲେ । କିନ୍ତୁ ଗତବର୍ଷ ନଭେମ୍ବର ୧୦ ତାରିଖରେ ବାବୁଲି ଆତ୍ମହତ୍ୟା କରିଥିବା ନେଇ ପରିବାରଲୋକଙ୍କ ନିକଟକୁ ଖବର ଆସିଥିଲା । ଆଇନଗତ ଲଢେଇ ଓ କମ୍ପାନୀର ଜିଦ ଯୋଗୁ ୬ ମାସ ୯ ଦିନ ପରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ସହ ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି ବାବୁଲିଙ୍କ ପରିବାର ଲୋକେ । ଅଭାବୀ ପରିବାରର ନ୍ୟାୟିକ ଲଢେଇ ଓ କମ୍ପାନୀର ସମ୍ବେଦନହୀନ କାର୍ଯ୍ୟ କାରଣର ପରିବାର ନିର୍ଯାତିତ ହୋଇଛି । ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ସାବିତ୍ରୀରେ ସ୍ୱାମୀଙ୍କୁ ଶବ ରୂପରେ ପାଖେ ପାଇଥିଲେ ବାବୁଲିଙ୍କ ସ୍ତ୍ରୀ । । ସେହିପରି ବାବୁଲି କାମ କରୁଥିବା କମ୍ପାନୀର ମ୍ୟାନେଜର ତୁରନ୍ତ ଶବ ନେବାକୁ ବ୍ୟବସ୍ଥା କରିବାକୁ ପରିବାର ଲୋକଙ୍କୁ କୁହାଯାଇଥିଲା । ତେବେ ବାବୁଲିଙ୍କ ପତ୍ନୀ ସ୍ୱାମୀଙ୍କ ମୃତ୍ୟୁକୁ ଗ୍ରହଣ ନକରିପାରୁଥିବା ବେଳେ କମ୍ପାନୀ ନିକଟରେ ଶବ ଫେରାଇବା ସହ କିଛି ଆର୍ଥିକ ସହାୟତା ଦାବି କରିଥିଲେ । ହେଲେ ଆର୍ଥିକ ସହାୟତା ଦେବାକୁ ମନାକରିଦେଇଥିଲା କମ୍ପାନୀ । ଶବ ନନେଲେ ଶବ ଜାଳିଦେବା ପାଇଁ ଧମକ ଦେବା ସହ ଶବ ବ୍ୟବଚ୍ଛେଦ ପାଇଁ କମ୍ପାନୀ ତରଫରୁ ସହମତି ପ୍ରକାଶ କରାଯାଇନଥିବା ନେଇ ଅଭିଯୋଗ ଆଣିଛନ୍ତି ବାବୁଲିଙ୍କ ପୁଅ । ପରେ ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ବାବୁଲିଙ୍କ ସ୍ତ୍ରୀ । ପରେ ସ୍ଥାନୀୟ ଏକ ସମାଜସେବୀଙ୍କ ସହାୟତାରେ ଓମାନ ଦୂତବାସ ସହ ଯୋଗାଯୋଗ ପରେ ବାବୁଲିଙ୍କ ଶବ ଘରମୁହାଁ ହୋଇପାରିଥିଲା ।