ଘର, ମଠ ଓ ମନ୍ଦିର ମୁକ୍ତ ହେଲା ଶ୍ରୀମନ୍ଦିରର ମେଘନାଦ ପାଚେରୀ । ହଟିଲା ଜବରଦଖଲ, ବେଆଇନ କୋଠାବାଡ଼ିରେ ଚାଲିଲା ବୁଲଡୋଜର ।

584

କନକ ବ୍ୟୁରୋ : ମୁକ୍ତ ହେଲା ଶ୍ରୀମନ୍ଦିରର ମେଘନାଦ ପାଚେରୀ । ପାଚେରୀକୁ ଲାଗି ରହିଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରିଛି ପୁରୀ ପ୍ରଶାସନ । ପତ୍ନତତ୍ତ୍ୱ ବିଭାଗର ସୁପାରିଶ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଇ ଦିନ ଧରି ଜବରଦଖଲ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ପ୍ରକିୟା ଭିତରେ ବଡ଼ ଧରଣର ପ୍ରତିବାଦ ହୋଇନଥିଲେ ବି ଆଗକୁ କ’ଣ ହେବ ତାକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ମେଘନାଦ ପାଚେରୀଠାରୁ ୭୫ ମିଟର ଭିତରେ ଜବରଦଖଲ ଉଚ୍ଛେଦ କରିବାକୁ ବି.ପି ଦାସ କମିଶନ କରିଥିବା ସୁପାରିଶକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ କ୍ୟାବିନେଟ୍ ।

ଆପଣ ଏବେ ପୁରୀ ଆସିଲେ ଶ୍ରୀମନ୍ଦିରର ଦୃଶ୍ୟ ଆପଣଙ୍କୁ ଭିନ୍ନ ଲାଗିବ ।କାରଣ ମେଘନାଦ ପାଚେରୀକୁ ଲାଗି ରହିଥିବା କୋଠାବାଡି ଓ ଅନ୍ୟାନ୍ୟ ବିଲଡିଂ ଗୁଡିକ, ସରକାରୀ ଡ୍ରୋଜର ମାଡରେ ମାଟିରେ ମିଶିଯାଇଛି । ୨ ଦିନ ଭିତରେ ପୁରୀ ପ୍ରଶାସନ, ମେଘନାଦ ପାଚେରୀକୁ ଜବରଦଖଲ ମୁକ୍ତ କରିବାରେ ସକ୍ଷମ ହୋଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା, ଏଏସଆଇର ସୁପାରିଶକୁ ଆଧାର କରି, ୨ଦିନ ଭିତରେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର, ଦକ୍ଷିଣ ଦ୍ୱାର ଓ ସିଂହଦ୍ୱାର ନିକଟରେ ଥିବା କୋଠା ଓ ଘର ଗୁଡିକୁ ଭାଙ୍ଗି ଦିଆଯାଇଛି । ସିଂହଦ୍ୱାର ନିକଟସ୍ଥ ଉତ୍କଳମଣୀ ଗୋପବନ୍ଧୁଙ୍କ ମୂର୍ତ୍ତିକୁ ବାଦ୍ ଦେଇ ସୂଚନା କେନ୍ଦ୍ର ସମେତ ଅନ୍ୟ ବିଲଡିଂ ମଧ୍ୟ ଭାଙ୍ଗିଦିଆଯାଇଛି ।

ମେଘନାଦ ପାଚେରୀ ଜବରଦଖଲ ମୁକ୍ତ ହେବା ପରେ ଏବେ ବିପି ଦାସ କମିଶନ ସୁପାରିଶ ଉପରେ ସମସ୍ତଙ୍କ ନଜର ରହିଛି । ଏଥିରେ କୁହାଯାଇଛି ମେଘନାଦ ପାଚେରୀରୁ ୭୫ ମିଟର ପର୍ଯ୍ୟନ୍ତ ସ୍ଥାନକୁ ଜବରଦଖଲ ମୁକ୍ତ କରାଯିବ । ରାଜ୍ୟ କ୍ୟାବିନେଟ୍ ମଧ୍ୟ ଏହାକୁ ମଞ୍ଜୁରୀ ଦେଇଛି । ଏହା କାର୍ଯ୍ୟକାରୀ ହେଲେ ୭୦୦ରୁ ଅଧିକ ଘର, ୭ଟି ହୋଟେଲ ଓ ୩୦୦ ରୁ ୪୦୦ଟି ଦୋକାନ ଘର ଭଙ୍ଗାଯାଇପାରେ । ସିଂହଦ୍ୱାର ନିକଟରେ ଥିବା ରାଧାବଲ୍ଲଭ ମଠ, ବାଗିଡିଆ ଧର୍ମଶାଳା ଓ କିଛି ସେବାୟତଙ୍କ ଘର ବି ଭାଙ୍ଗିପାରେ ।