ରାହୁଲଙ୍କ ସାଂସଦ ପଦ ଯିବା ପରେ ସୁପ୍ରିମକୋର୍ଟରେ ମାମଲା । ଜନପ୍ରତିନିଧି ଅଧିନିୟମ, ୧୯୫୧ର ଧାରା ୮(୩)କୁ ଚ୍ୟାଲେଞ୍ଜ

94

କନକ ବ୍ୟୁରୋ : ୧୦ ବର୍ଷ ତଳେ ଯେଉଁ ଅଧ୍ୟାଦେଶକୁ ରାହୁଲ ଗାନ୍ଧୀ ଚିରି ଦେଇଥିଲେ । ସେହି ପ୍ରସଙ୍ଗରେ ଯେତେ ଚର୍ଚା ହୋଇନଥିଲା ଏବେ ସମାନ ମାମଲାକୁ ନେଇ ତାଠୁ ଅଧିକ ଚର୍ଚ୍ଚା ହେଉଛି  । ସେଇ ଅଧିନିୟମ ବଳରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଛି । ଏବେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି । ଲୋକପ୍ରତିନିଧି ନିୟମ ବା ଆରପିଏର ଧାରା ୮(୩)କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଛି । ୨୦୧୩ ମସିହାର ଏହି ନିୟମ ଅନୁଯାୟୀ ଜଣେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷରୁ ଅଧିକ ଦଣ୍ଡିତ ହେବା ପରେ ଜନ ପ୍ରତିନିଧି ପଦରୁ ସ୍ୱାଭାବିକ ଭାବେ ଅଯୋଗ୍ୟ ଘୋଷିତ ହୋଇଯିବ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ଏହି ହିଁ ଘଟିଛି । ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ତେଣୁ ସେ ତାଙ୍କ ସାଂସଦ ପଦ ହରାଇଛନ୍ତି । ତେବେ ଏହି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି । ଜଣେ ନିର୍ବାଚିତ ପ୍ରତିନିଧି ହଠାତ ଅଯୋଗ୍ୟ ଘୋଷିତ ହେବା ସମାନତା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି କେରଳର ଜଣେ ସାମାଜିକ କର୍ମୀ ଆବେଦନ କରିଛନ୍ତି ।

ଲୋକ ପ୍ରତିନିଧି ଅଧିନିୟମ, ୧୯୫୧ର ଧାରା ୮ (୪)କୁ ୨୦୧୩ରେ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏହି ନିଷ୍ପତି ଲିଲି ଥୋମାସ୍ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ଭାବରେ ଜଣାଶୁଣା । କେରଳର ଓକିଲ ଲିଲି ଥୋମାସ ଲୋକ ପ୍ରତିନିଧି ଅଧିନିୟମର ଧାରା ୮ (୪) ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଯେଉଁ ପର୍ଯ୍ୟନ୍ତ ଉପର କୋର୍ଟରୁ କୌଣସି ଚୂଡାନ୍ତ ରାୟ ନଆସିଛି ସେହି ପର୍ଯ୍ୟନ୍ତ ଏହି ଅଧିନିୟମ ଦୋଷୀ ସାଂସଦ ଓ ବିଧାୟକଙ୍କ ପଦକୁ ସୁରକ୍ଷା ଦେଇଥାଏ ।

୨୦୧୩ରେ ଆସିଥିବା ଅଧ୍ୟାଦେଶରେ ଦଣ୍ଡିତ ହେବାର ୩ ମାସ ଯାଏ ବିଧାୟକ କିମ୍ବା ସାଂସଦଙ୍କୁ ରିଲିଫ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ଦୋଷୀ ସାବ୍ୟସ୍ତ ସାଂସଦ ବା ବିଧାୟକଙ୍କୁ ୩ ମାସ ପର୍ଯ୍ୟନ୍ତ ଅଯୋଗ୍ୟ କରାଯାଇପାରିବ ନାହିଁ । ଯଦି ଏହି ତିନିମାସ ମଧ୍ୟରେ ନିର୍ବାଚିତ ସାଂସଦ ବା ବିଧାୟକ ଉପର କୋର୍ଟରେ ଆବେଦନ କରନ୍ତି, ତେବେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇପାରିବ ନାହିଁ ।

ମନମୋହନ ସିଂଙ୍କ ନେତୃତ୍ୱରେ କ୍ୟାବିନେଟ ଦ୍ୱାରା ଏହି ଅଧିନିୟମ ପାରିତ ହୋଇ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା । ଏହାପରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଧ୍ୟାଦେଶର ନକଲକୁ ଚିରି ଦେଇଥିଲେ । ଏହାପରେ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଏହି ଅଧିନିୟମକୁ ପ୍ରତ୍ୟାହାର କରାଯାଇଥିଲା । ରାହୁଲଙ୍କ ଏହି ନିଷ୍ପତିକୁ ଆଜି ପର୍ଯ୍ୟନ୍ତ ସମାଲୋଚନା କରାଯାଉଛି ।