ଧାରା ୩୭୦ ହଟିଲା, ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହାତରେ ହାତକଡ଼ି ପଡିଲା । ନଜରବନ୍ଦୀ ପରେ ଗିରଫ ହେଲେ ମେହବୁବା ଓ ଓମର ।

383

କନକ ବ୍ୟୁରୋ : ଗୋଟିଏ ଦିନରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେଲେ ଗିରଫ । ଜମ୍ମୁ-କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ । ମେହବୁବାଙ୍କ ପରେ ଓମର ଅବଦୁଲ୍ଲାଙ୍କ ହାତରେ ହାତକଡି ପକାଇଛି ପୋଲିସ । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଓମାରଙ୍କୁ ଗିରଫ କରାଯାଇଛି ।

ଏହାପୂର୍ବରୁ ପିଡିପି ନେତ୍ରୀ ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ ।  ଶ୍ରୀନଗରରୁ ଉଭୟଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଠାରୁ ଉଭୟଙ୍କୁ ନଜରବନ୍ଦୀରେ ରଖାଯାଇଥିଲା । ଗିରଫ ପରେ ମେହବୁବାଙ୍କୁ ଗେଷ୍ଟ ହାଉସକୁ ନିଆଯାଇଥିବା ବେଳେ ଓମରଙ୍କୁ ପୋଲିସ ନିଜ ହେପାଜତରେ ରଖିଥିବା ନେଇ ସୂଚନା ମିଳିଛି ।

ଏହାପୂର୍ବରୁ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆସୁଥିଲେ ମୁଫତି ଓ ଓମର । ଏପରିକି ଧାରା ୩୭୦କୁ ଉଚ୍ଛେଦ ପରେ ପରିଣାମ ଭୟଙ୍କର ହେବ ବୋଲି ଟ୍ୱିଟ୍ କରି କହିଥିଲେ ମେହବୁବା  । ତେବେ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ମେହବୁବା ଓ ଓମରଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ଜମ୍ମୁ-କାଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା । କିନ୍ତୁ ନଜରବନ୍ଦୀ ଥିବା ବେଳେ ମଧ୍ୟ ବିଷ ଓଗାଳିବା ବନ୍ଦ କରି ନଥିଲେ ମୁଫତି । ଏପରିକି ଓମର ମଧ୍ୟ ଟ୍ୱିଟ୍ କରି ଏହାକୁ କଳାଦିବସ ବୋଲି କହିଥିଲେ ।