ଦେଶରେ ବଢୁଛି ମସଜିଦ୍ ବିବାଦ, ଜ୍ଞାନବାପୀ ପରେ ଏବେ ମଥୁରାର ଶାହି ଇଦଗାହ ମସଜିଦ ସିଲ କରିବାକୁ କୋର୍ଟରେ ଆବେଦନ

544

କନକ ବ୍ୟୁରୋ : ଗୋଟିଏ ପଟେ କରୋନା ମହାମାରୀ କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଭୁଷୁଡି ପଡିଛି । କୋଟି କୋଟିି ଲୋକ ନିଜର ରୋଜଗାର ହରାଇଛନ୍ତି । ସେପଟେ ମହଙ୍ଗାମାଡରେ ସାଧାରଣ ଲୋକ ଅସ୍ତବ୍ୟସ୍ତ । ହେଲେ ଏବେ ମନ୍ଦିର ମସଜିଦକୁ ନେଇ ରାଜନୀତି ଜୋର ଧରୁଛି । କିଛିଦିନ ହେବ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦ ତଳେ ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି ରହିଥିବା ଦାବି କରି କୋର୍ଟରେ ଆବେଦନ କରାଯିବା ଓ କୋର୍ଟଙ୍କ ଆଦେଶ ବଳରେ ସେଠାରେ ପ୍ରତ୍ନତତ୍ୱ ବିଭାଗ ସର୍ଭେ କରିବା ପରେ ପୁଣି ଏକ ମସଜିଦକୁ ନେଇ ବିବାଦ ଦେଖା ଦେଇଛି । ମଥୁରା ଠାରେ ଥିବା ଶାହି ଇଦଗାହ ମସଜିଦକୁ ସିଲ କରିବାକୁ ଜଣେ ଆବେଦନକାରୀ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ମଥୁରା ସିଭିଲ କୋର୍ଟରେ ଆବେଦନକାରୀ ମହେନ୍ଦ୍ର ପ୍ରତାପ ସିଂ ଏକ ଅଭିଯୋଗ ଦାଖଲ କରିଛନ୍ତି । ସେ କହିଛନ୍ତି କି ଶାହି ଇଦଗାହ ମସଜିଦରେ ସୁରକ୍ଷା କଡାକଡି କରାଯାଉ । ଏଠାକୁ ଆସୁଥିବା ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଉ । ଏହାସହ ଏଠାରେ ଜଣେ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ସେ କୋର୍ଟଙ୍କ ଠାରେ ଅନୁରୋଧ କରିଛନ୍ତି ।

ମହେନ୍ଦ୍ର ପ୍ରତାପ ସିଂ ଦାବି କରିଛନ୍ତି କି ଶାହି ଇଦଗାହ ମସଜିଦ ହେଉଛି ଶ୍ରୀକୃଷ୍ଣଙ୍କର ଅସଲ ଜନ୍ମଭୂମି । ଏଠାରେ ସମସ୍ତ ହିନ୍ଦୁ ଧାର୍ମିକ ଅବଶେଷ ରହିଛି । ସେ ଦାବି କରିଛନ୍ତି କି ଏହି ମସଜିଦ ତଳେ କମଳ ଶେଷନାଗ, ଓଁ, ସ୍ୱାସ୍ଥିକ ଚିହ୍ନ ଭଳି ହିନ୍ଦୁ ଧାର୍ମିକ ଅବଶେଷ ରହିଛି । ଏବେ ଏହାକୁ ନିଶ୍ଚିହ୍ନ କରିବାକୁ ମୁସଲମାନ ସଂପ୍ରଦାୟ ଚେଷ୍ଟା କରୁଥିବାରୁ ତୁରନ୍ତ ଏହାକୁ ସିଲ କରିବାକୁ ସେ କୋର୍ଟଙ୍କ ନିକଟରେ ଦାବି କରିଛନ୍ତି ।