ପୁରୀରେ ‘ଫୋନି’ର କରାଳ ରୂପ । ବଦଳାଇ ଦେଇଛି ପୁରୀ ରାଜଭବନର ନକ୍ସା ।

206

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ବଦଳାଇ ଦେଇଛି ପୁରୀ ରାଜଭବନର ନକ୍ସା । ପ୍ରବଳ ଝଡ ତୋପାନରେ ଖଣ୍ଡିଆ ଖାବରା ହୋଇଯାଇଛି ରାଜଭବନ । ଆସବାବପତ୍ର ନଷ୍ଟ ହେବା ସହ ରାଜ୍ୟପାଳ ରହୁଥିବା ଘର ବାଲିଧୂଳିରେ ପୁରି ଯାଇଛି । ଏଥିସହ ବ୍ରିଟିଶ ଅମଳର ଏହି ରାଜଭବନର ବାହ୍ୟଦୃଶ୍ୟ ବୟାନ କରୁଛି କେତେ ଭୟଙ୍କର ଥିଲା ବାତ୍ୟା ଫୋନିର ତାଣ୍ଡବ ।

କିଛିମାସ ତଳେ କିଛି ଏପରି ଦେଖାଯାଉଥିଲା ପୁରୀର ରାଜଭବନ । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଭଲି ଭିଭିଆଇପିମାନଙ୍କ ଭିଜିଟ ସମୟରେ ଏହିପରି ଚମକୁ ଥିଲା ରାଜଭବନ । ବ୍ରିଟିଶ ଅମଳରେ ନିର୍ମିତ ରାଜଭବନର ବଗିଚା ବୟାନ କରୁଛି କେତେଭୟଙ୍କର ଥିଲା ଫୋନିର ପ୍ରଭାବ । ପ୍ରଳୟଙ୍କାରୀ ଫୋନି କିପରି ତାଣ୍ଡବ ରଚିଥିଲା । ବଗିଚାରେ ଥିବା ସମସ୍ତ ନଡିଆ ଗଛା ଅଙ୍କାବଙ୍କା ହୋଇଯାଇଛି । ନଷ୍ଟ ହୋଇଯାଇଛି ଫୁଲଗଛ ।

ଆଉ ରାଜ୍ୟପାଳ ରହୁଥିବା ଘରର ଦୃଶ୍ୟ ଦେଖିଲେ ଆପଣ ହୁଏତ ହତବାକ ହୋଇଯିବେ । ବାତ୍ୟା ଫୋନି କିଛି ଘଂଟା ମଧ୍ୟରେ କିପରି ଖିନବିନ କରିଛି ତାହା ଏହି ଗୃହକୁ ଦେଖିଲେ ଜଣାପଡୁଛି । ପବନ ଓ ବର୍ଷା ମାଡରେ ବ୍ୟାପକ କ୍ଷତି ପହଂଚିଛି ରାଜ୍ୟପାଳଙ୍କ ଏହି ରୁମରେ । ଆଉ କବାଟ ଝରକା ବି ନଷ୍ଟ ହୋଇଯାଇଛି । ଯେତେବେଳେ ବାତ୍ୟା ଫୋନି ମାଡ ହୋଇଥିଲା ସେତେବେଳେ ଏଠାରେ ରହୁଥିବା ପିଅନ ଏବଂ ତାଙ୍କ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । କାହିଁକି ନା ସେମାନେ ଭାବିନଥିଲେ ଫୋନି ଏତେ ଭୟଙ୍କର ହୋଇପାରେ ବୋଲି ।

ବଡ ବଡ ଗଛ ଥୁଂଟା ହୋଇ ପଡିରହିଛି ରାଜଭବନ ପରିସରରେ । ଦୁରରୁ ଦେଖିଲେ ଲାଗୁଛି, ଏହି ପୁରାତନ ରାଜଭବନ ପରିଣତ ହୋଇଛି ଭୂତକୋଠୀରେ । ଦୁଇଦିନ ତଳେ ରାଜ୍ୟପାଳ ରାଜଭବନ ଆସିଥିଲେ । ଫୋନିର ପ୍ରଭାବ କେମିତି ପଡିଛି ବୁଲି ଦେଖିଥିଲେ । ସଜିତ ହୋଇ ସବୁବେଳେ ରାଜ୍ୟ, ଦେଶ ତଥା ଦେଶ ବାହାରର ଅତିଥିଙ୍କୁ ଅପେକ୍ଷା କରି ରହୁଥିବା ରାଜଭବନ କେବେ ତାର ପୂର୍ବରୁପ ଫେରିପାଉଛି ଏବେ ତାକୁ ହିଁ ଅପେକ୍ଷା ।